ରଥଯାତ୍ରାକୁ ଆଉ ୪ଦିନ ବାକି: ଅଶାନ୍ତ ହେଲା ପୁରୀ ସହର; ତେଜରାତି ଦୋକାନୀଙ୍କୁ ଗୁଳିମାଡ଼

198
ADVERTISEMENT



ପୁରୀ ଅଫିସ, ୩୦/୬(ଡ଼ିଏଚବି) : ରଥଯାତ୍ରାକୁ ଆଉ ମାତ୍ର ୪ଦିନ ବାକି ଥିବାବେଳେ ଅଶାନ୍ତ ହୋଇପଡ଼ିିଛି ପୁରୀ ସହର। ଗୋଟିଏ ପଟେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ପୋଲିସ ଗୁରୁତ୍ୱ ଦେଉଥିବା କହୁଛି। ଅନ୍ୟପଟେ ଶ୍ରୀକ୍ଷେତ୍ରରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିିବାରେ ଲାଗିଛି। ଧୀରେ ଧୀରେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଶନିବାର ସମୁଦ୍ରକୂଳ ଥାନା ଅଧୀନ ସ୍ବର୍ଗଦ୍ୱାର ଗୌଡ଼ବାଡ଼ ସାହିସ୍ଥିତ ମାଛ ମାର୍କେଟରେ ଗୁଳି ଫୁଟିଛି। ୨ଜଣ ଯୁବକ ଏକ ବାଇକ୍‌ରେ ଆସି ଜଣେ ତେଜରାତି ଦୋକାନୀଙ୍କୁ ଗୁଳିମାଡ଼ କରିଛନ୍ତି। ଗୁଳି ତାଙ୍କ ବାମ ଛାତିରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ମେଡିକାଲ (ଏସ୍‌ସିବି)କୁ ସ୍ଥାନାନ୍ତରିତ କରାଯାଇଛି। ଆହତ ବ୍ୟବସାୟୀ ଜଣକ ହେଲେ ସୁକାନ୍ତ ସାହୁ (୪୦)। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି।

ଗୌଡ଼ବାଡ଼ ସାହିସ୍ଥିତ ମାଛ ମାର୍କେଟରେ ସୁକାନ୍ତଙ୍କର ତେଜରାତି ଦୋକାନ ରହିଛି। ଶନିବାର ରାତି ପ୍ରାୟ ୮ଟାରେ ସେ ଦୋକାନରେ ବସି ଟିଭି ଦେଖୁଥିଲେ। ଏହି ସମୟରେ ୨ଜଣ ଯୁବକ ଗୋଟିଏ ବାଇକ୍‌ରେ ଆସି ପହଞ୍ଚିଥିଲେ । ସଙ୍ଗେସଙ୍ଗେ ସେଠାରୁ ଚାଲିଗଲେ, ଏହାର ୧୫ମିନିଟ୍‌ ପରେ ପୁଣି ସେମାନେ ଆସିଲେ। ସୁକାନ୍ତଙ୍କୁ କିଛି ପଚାରିଲେ। ବାଇକ୍‌ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ହଠାତ୍‌ ପିସ୍ତଲରୁ ଗୁଳିମାଡ଼ କରିବା ପରେ ଦୁହେଁ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ଗୁଳି ଫୁଟା ଶବ୍ଦ ଓ ସୁକାନ୍ତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କ ପାଖକୁ ଯିବାରୁ ସେ ରକ୍ତାକ୍ତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୋଲିସ ପହଁଚି ତାଙ୍କୁ ଡାକ୍ତରଖାନା ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲା। ପୋଲିସ କହିବାନୁଯାୟୀ, ପୂର୍ବରୁ ଏକ ଗୋଷ୍ଠୀ ସହ ସୁକାନ୍ତଙ୍କର ଶତ୍ରୁତା ରହିଥିଲା। ପରବର୍ତ୍ତୀ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସମାଧାନ ହୋଇଯାଇଥିଲା। ଗୁଳିକାଣ୍ଡର ତଦନ୍ତ ଜାରି ରହିଛି। ଏହି ଘଟଣାରେ ବିପକ୍ଷ ଗୋଷ୍ଠୀର ହାତ ଥିବା ସନ୍ଦେହ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ ତାରିଖରେ ବାସେଳିସାହି ଥାନା ଅଧୀନ ପଣାପ୍ରିୟା ଲେନ୍‌ରେ ଶିବରାମ ପାତ୍ର ନାମକ ଯୁବକଙ୍କ ଉପରକୁ ବୋମାମାଡ଼ ହୋଇଥିଲା। ପୂର୍ବରୁ ଟାଉନ ଥାନା ଅଧୀନ ମିଶ୍ରସାହିରେ ଜଣେ ଯୁବକଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଥିଲା। ସେହିପରି ସହରରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଥିବାବେଳେ ଲୁଟତରାଜ, ରାହାଜାନି ଆଦି ବଢିଚାଲିଛି। ଆଗକୁ ରଥଯାତ୍ରା ଆସୁଥିବାରୁ ଏହା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।



Advertisement