ନୂଆଦିଲ୍ଲୀ,୫।୨(ଡି.ଏଚ) : ମାନନୀୟ ଅଧ୍ୟକ୍ଷ ମହୋଦୟ, ଆଜି ମୁଁ ଆପଣମାନଙ୍କ ଗହଣରେ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ବିଷୟ ଉପରେ ସୂଚନା ପ୍ରଦାନ କରିବାକୁ ବିଶେଷ ଭାବେ ଉପସ୍ଥିତ ହୋଇଛି । ଏହି ବିଷୟ କୋଟି କୋଟି ଦେଶବାସୀଙ୍କ ଭଳି ମୋ ହୃଦୟର ଅତ୍ୟନ୍ତ ନିକଟତମ ଏବଂ ଏହା ବିଷୟରେ ଆଲୋଚନା କରିବା ମୁଁ ମୋର ସୌଭାଗ୍ୟ ବୋଲି ଭାବୁଛି ।
ଏହି ବିଷୟର ଶ୍ରୀରାମ ଜନ୍ମଭୂମି ସହିତ ସଂପର୍କ ରହିଛି । ଏହି ବିଷୟ ହେଉଛି- ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ସହିତ ସଂଶ୍ଳିଷ୍ଟ । ମାନନୀୟ ଅଧ୍ୟକ୍ଷ ମହୋଦୟ, ୯ ନଭେମ୍ବର ୨୦୧୯ରେ କରତାରପୁର ସାହିବ କରିଡରର ଲୋକାର୍ପଣ ପାଇଁ ମୁଁ ପଞ୍ଜାବରେ ଥିଲି, ଗୁରୁନାନକ ଦେବଜୀଙ୍କର ୫୫୦ ତମ ପ୍ରକାଶ ପର୍ବ ଥିଲା, ଅତ୍ୟନ୍ତ ପବିତ୍ର ବାତାବରଣ ଥିଲା । ସେହି ଦିବ୍ୟ ବାତାବରଣରେ ମୋତେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ରାମ ଜନ୍ମଭୂମି ଉପରେ ଶୁଣାଇଥିବା ଐତିହାସିକ ନିଷ୍ପତ୍ତି ବିଷୟରେ ଜାଣିଲି । ଏହି ନିଷ୍ପତ୍ତିରେ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ, ଶ୍ରୀରାମ ଜନ୍ମଭୂମିର ବିବାଦୀୟ ସ୍ଥଳର ଭିତର ଏବଂ ବାହାରେ ରାମଲାଲା ବିରାଜମାନ କରିବେ । ମାନନୀୟ ଉଚ୍ଚତମ ନ୍ୟାୟାଳୟ ନିଜର ଆଦେଶରେ ଏହା ମଧ୍ୟ କହିଥିଲେ ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାର ପରସ୍ପର ମଧ୍ୟରେ ପରାମର୍ଶ କରି ସୁନ୍ନୀ ସେଣ୍ଟ୍ରାଲ ୱାକଫ ବୋର୍ଡକୁ ୫ ଏକର ଜମି ଆବଣ୍ଟନ କରନ୍ତୁ ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ମୋତେ ଆଜି ଏହି ସଦନକୁ, ସମଗ୍ର ଦେଶକୁ ଏହା କହିବାକୁ ଅତ୍ୟନ୍ତ ଖୁସି ଲାଗୁଛି ଯେ ଆଜି ସକାଳେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ସୁପ୍ରିମ କୋର୍ଟଙ୍କ ଆଦେଶକୁ ଦୃଷ୍ଟିରେ ରଖି ଏଥିନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋ ସରକାର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀରାମ ଜନ୍ମଭୂମିରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏବଂ ଏଥି ସମ୍ବନ୍ଧିତ ଅନ୍ୟ ବିଷୟଗୁଡିକ ପାଇଁ ବୃହତ ଯୋଜନା ପ୍ରସ୍ତୁତ କରିଛି । ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁସାରେ ଏହି ସ୍ୱାୟତ୍ତ ଟ୍ରଷ୍ଟର ନାମ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ରଖାଯିବ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଗଠନ କରିବାର ପ୍ରସ୍ତାବ ମଂଜୁର କରାଯାଇଛି । ଏହି ଟ୍ରଷ୍ଟ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରେ ଭବ୍ୟ ଏବଂ ଦିବ୍ୟ ଶ୍ରୀରାମ ମନ୍ଦିରର ନିର୍ମାଣ ଏବଂ ଏହା ସଂପର୍କୀତ ବିଷୟଗୁଡିକ ଉପରେ ସଂପୂର୍ଣ୍ଣ ଭାବେ ସ୍ୱତନ୍ତ୍ର ନିଷ୍ପତ୍ତି ନେଇପାରିବ ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ଗଂଭୀର ବିଚାର ଆଲୋଚନା ପରେ ଅଯୋଧ୍ୟାରେ ୫ ଏକର ଜମି ସୁନ୍ନି ୱାକଫ ବୋର୍ଡକୁ ପ୍ରଦାନ କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ଅନୁରୋଧ କରାଯାଇଛି । ଏହା ଉପରେ ରାଜ୍ୟ ସରକାର ମଧ୍ୟ ନିଜର ସହମତି ପ୍ରଦାନ କରିଛନ୍ତି । ମାନନୀୟ ଅଧ୍ୟକ୍ଷ ମହୋଦୟ, ଭାରତର ପ୍ରାଣ ବାୟୁରେ ଆଦର୍ଶରେ, ମର୍ୟ୍ୟାଦାରେ ପ୍ରଭୁ ଶ୍ରୀ ରାମଙ୍କର ମହିମା ଏବଂ ଅଯୋଧ୍ୟା ଧାମର ଗଭୀର ପ୍ରବାବ ରହିଛି । ଏହା ଆମେ ସମସ୍ତେ ଭଲ ଭାବରେ ଜାଣିଛୁ । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ, ବର୍ତ୍ତମାନ ଏବଂ ଭବିଷ୍ୟତରେ ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଆଗମନର ସଂଖ୍ୟା ଏବଂ ତାଙ୍କ ଭାବନାକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ୱାରା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋ ସରକାର ଏହି ନିଷ୍ପତ୍ତି ନେଇଛି ଯେ ଅଯୋଧ୍ୟା ଆଇନ ଅନୁଯାୟୀ ଅଧିଗ୍ରହଣ କରାଯାଇଥିବା ସଂପୂର୍ଣ୍ଣ ଜମି ଯାହା ପ୍ରାୟ ୬୭.୭୦୩ ଏକର ରହିଛି ଏବଂ ଯେଉଁଥିରେ ଭିତର ଏବଂ ବାହାରର ଅଗଣା ସାମିଲ କରାଯାଇଛି, ତାହାକୁ ନବଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ ହସ୍ତାନ୍ତରିତ କରାଯିବ ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ନଭେମ୍ବରରେ ରାମ ଜନ୍ମ ଭୂମି ଉପରେ ନିଷ୍ପତ୍ତି ହେବା ପରେ ସମସ୍ତ ଦେଶବାସୀ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ବିଶ୍ୱାସ ରଖି ମହନୀୟତାର ଉଦାହରଣ ସୃଷ୍ଟି କରିଥିଲେ । ଆଜି ସଂସଦରେ ଦେଶବାସୀଙ୍କର ଏହି ମହନୀୟ ବ୍ୟବହାର ପାଇଁ ମୁଁ ଭୂରି ଭୂରି ପ୍ରଶଂସା କରୁଛି ।
ମାନନୀୟ ଅଧ୍ୟକ୍ଷ ମହୋଦୟ, ଆମ ସଂସ୍କୃତି, ଆମ ପରମ୍ପରା, ଆମକୁ ବସୁଧୈବ କୁଟୁମ୍ବକମ ଏବଂ ସର୍ବେ ଭବନ୍ତୁ ସୁଖିନଃର ପରିଚୟ ପ୍ରଦାନ କରିଥାଏ । ଏହି ଭାବନା ସହିତ ଆଗକୁ ଅଗ୍ରସର ହେବାର ପ୍ରେରଣା ମଧ୍ୟ ଦେଇଥାଏ । ହିନ୍ଦୁସ୍ତାନରେ ପ୍ରତ୍ୟେକ ଧର୍ମର ଲୋକ ହିନ୍ଦୁ ହୁଅନ୍ତୁ, ମୁସଲମାନ ହୁଅନ୍ତୁ, ଶିଖ ହୁଅନ୍ତୁ, ଇସାଇ ହୁଅନ୍ତୁ, ବୌଦ୍ଧ, ପାର୍ସୀ ଏବଂ ଜୈନ ହୁଅନ୍ତୁ, ଆମେ ସମସ୍ତେ ଏକ ବଡ ପରିବାରର ସଦସ୍ୟ । ଏହି ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ବିକାଶ ହେଉ, ସେ ସୁଃଖୀ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସମୃଦ୍ଧ ହୁଅନ୍ତୁ, ଦେଶର ବିକାଶ ହେଉ, ଏହି ଭାବନା ସହିତ ମୋ ସରକାର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ରକୁ ନେଇ ଚାଲିଛି । ଆସନ୍ତୁ ଏହି ଐତିହାସିକ ସମୟରେ ସମସ୍ତ ସଦସ୍ୟ ମିଶି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଏକ ସ୍ୱରରେ ନିଜର ସମର୍ଥନ ପ୍ରଦାନ କରନ୍ତୁ ।



















