ଭୁବନେଶ୍ୱର, ୨୯/୬(ନରେନ୍ଦ୍ର ଜେନା): ଚଳିତବର୍ଷ ରାଜ୍ୟର ଅଭିବୃଦ୍ଧି ହାର ୨୦୧୭-୧୮ ତୁଳନାରେ ଅଧିକ ରହିଛି। ୨୦୧୮-୧୯ରେ ଓଡ଼ିଶାର ଅଭିବୃଦ୍ଧି ହାର ୮.୪% ରହିଛି ଯାହାକି ୨୦୧୭-୧୮ର ୭.୪% ଅଭିବୃଦ୍ଧି ତୁଳନାରେ ଅଧିକ ବୋଲି ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୮-୧୯ରେ କୁହାଯାଇଛି। ଓଡ଼ିଶାର ଅଭିବୃଦ୍ଧି ଏପରିକି ଜାତୀୟ ହାର ଠାରୁ ମଧ୍ୟ ଅଧିକ ରହିଛି। ରାଜ୍ୟର ମୁଣ୍ଡପିଛା ଆୟ ମଧ୍ୟ ବହୁ ରାଜ୍ୟ ତୁଳନାରେ ଅଧିକ ରହିଛି। ୨୦୧୮-୧୯ରେ ରାଜ୍ୟର ମୁଣ୍ଡପିଛା ଆୟ ୯୨,୬୯୧ଟଙ୍କାକୁ ବୃଦ୍ଧି ପାଇଛି। ମୁଣ୍ଡପିଛା ଆୟ ବାର୍ଷିକ ୯.୮% ହାରରେ ବଢ଼ୁଛି। ମୁଣ୍ଡପିଛା ଆୟ କ୍ଷେତ୍ରରେ ଓଡ଼ିଶା ୧୯୯୬-୯୭ରେ ୨୫ତମ ସ୍ଥାନରେ ଥିଲା। ୨୦୧୬-୧୭ ସୁଦ୍ଧା ଏହା ୧୬ତମ ସ୍ଥାନରେ ପହଞ୍ଚି ପାରିଛି।
ରାଜ୍ୟର ୪୮% ଲୋକ କୃଷି କ୍ଷେତ୍ରରେ ନିୟୋଜିତ ଥିବା ବେଳେ, କୃଷି ପରିବାରର ମାସିକ ହାରାହାରି ଆୟ ୨୦୧୬-୧୭ରେ ୭୭୩୧ଟଙ୍କାକୁ ବୃଦ୍ଧି ପାଇଛି। କମ୍ ମୌସୁମୀ ବୃଷ୍ଟିପାତ ଓ ଫସଲରେ ରୋଗ ପୋକ ଆକ୍ରମଣ ଯୋଗୁଁ ୨୦୧୭-୧୮ରେ କୃଷି ଉତ୍ପାଦନ ପ୍ରଭାବିତ ହୋଇଥିଲା। ୨୦୧୮-୧୯ରେ ସେଥିରେ ଉନ୍ନତି ହୋଇଛି। ସେହିପରି ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍ଡିପି)କୁ ଖଣି କ୍ଷେତ୍ରର ଅବଦାନ ବୃଦ୍ଧିପାଇ ୧୦.୮%ରେ ପହଞ୍ଚିଛି। ମାନୁଫାକ୍ଚରିଂ କ୍ଷେତ୍ରରେ ମଧ୍ୟ ୨୦୧୮-୧୯ରେ ଉଲ୍ଲେଖନୀୟ ଉନ୍ନତି ଦେଖିବାକୁ ମିଳିଛି। ଫଳରେ ମାନୁଫାକ୍ଚରିଂ କ୍ଷେତ୍ରର ଅବଦାନ ରାଜ୍ୟ ଅର୍ଥନୀତିକୁ ୧୮.୫%କୁ ବୃଦ୍ଧି ପାଇଛି। ସବୁ କ୍ଷେତ୍ରଠାରୁ ସେବା କ୍ଷେତ୍ରରେ ବହୁତ ଆଗରେ ରହିଛି ରାଜ୍ୟ। ଜିଡିପିକୁ ସେବା କ୍ଷେତ୍ରର ଅବଦାନ ସର୍ବାଧିକ ୪୧.୬% ରହିଛି। ଦ୍ୱିତୀୟ ସ୍ଥାନରେ ରହିଛି ଶିଳ୍ପ କ୍ଷେତ୍ର, ଯାହାର ଅବଦାନ ୩୯.୫% ରହିଛି। ସେହିଭଳି ସେବା କ୍ଷେତ୍ରରେ କାରବାର କରୁଥିବା ସଂସ୍ଥାଙ୍କର ହାର (୩୨%) ଜାତୀୟ ହାର (୨୯%)ଠାରୁ ମଧ୍ୟ ଅଧିକ ରହିଛି। ଜିଡିପିର ୪.୯% ରାଜ୍ୟର ପୁଞ୍ଜି ଅଟକଳ ରହିଛି ଯାହା ଅନ୍ୟ ଅନେକ ରାଜ୍ୟ ତୁଳନାରେ ସର୍ବାଧିକ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ତେବେ, ସରକାର ଶ୍ରମିକମାନଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ସେତେଟା ସଫଳ ହୋଇନାହାନ୍ତି।