ଜୁଲାଇ ୧୨ରେ ଫେରିବେ ଜଗା-ବଳିଆ !

196
ADVERTISEMENT

ନୂଆଦିଲ୍ଲୀ, ୨୯/୬(ଡ଼ିଏଚବି): ଜଗା-ବଳିଆଙ୍କ ଓଡ଼ିଶା ଫେରିବା ନେଇ ଆଜି ଏମ୍ସର ବୋର୍ଡରୁମ୍‌ରେ ରାଜ୍ୟ ସରକାର ଓ ଏମ୍ସ କର୍ତ୍ତୃପକ୍ଷଙ୍କ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-ବଳିଆ ସଂପୂର୍ଣ୍ଣ ସୁସ୍ଥ ଏବଂ ସେମାନେ ଓଡ଼ିଶା ଫେରିବା ଲାଗି ସକ୍ଷମ ବୋଲି ଡାକ୍ତରମାନେ ମତବ୍ୟକ୍ତ କରିଛନ୍ତି। ବୈଠକର ନିଷ୍ପତ୍ତି ମୁତାବକ ଜୁଲାଇ ୧୨ରେ ଜଗା-ବଳିଆ ଓଡ଼ିଶା ଫେରିବେ। ଏହାସହ ଦୁଇ ଶିଶୁଙ୍କର ପରବର୍ତ୍ତୀ ସ୍ୱାସ୍ଥ୍ୟସେବା କିଭଳି ରହିବ ସେନେଇ ଏମ୍ସ ପକ୍ଷରୁ ସପ୍ତାହେ ମଧ୍ୟରେ ରାଜ୍ୟ ସରକାରଙ୍କୁ ଏକ ଆଡ୍‌ଭାଇଜରି ଜାରି କରାଯିବ।

ଓଡ଼ିଶା ଫେରିବା ସମୟରେ ଜଗା-ବଳିଆଙ୍କ ସହିତ ଦିଲ୍ଲୀ ଏମ୍ସର ୮ ଜଣ ଡାକ୍ତର ଆସିବେ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ଫେରିବା ପରେ ଜଗା-ବଳିଆଙ୍କୁ ଭୁବନେଶ୍ୱର ଏମ୍ସ କିମ୍ବା ଆପୋଲୋରେ ଚିକିତ୍ସା କରାଯାଇପାରେ ।

ଜଗାବଳିଆ ଆସିବା ପାଇଁ ଦିଲ୍ଲୀ ଏମ୍ସ ପକ୍ଷରୁ ପ୍ରଥମେ ଏୟାର ଆମ୍ବୁଲାନ୍ସ ମଗାଯାଇଥିବାବେଳେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇ ଟ୍ରେନ ଯୋଗେ ସେମାନେ ଆସିବେ ବୋଲି କୁହାଯାଇଛି । ତେବେ ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ବିଶେଷ କରି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ । ଏମ୍ସର ଡାକ୍ତରମାନେ ଯାହା ପରାମର୍ଶ ଦେବେ ତା’କୁ ମାନି ରାଜ୍ୟ ସରକାର କାର୍ଯ୍ୟ କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

Advertisement