ଭୁବନେଶ୍ୱର, ୨୯/୬(ନରେନ୍ଦ୍ର ଜେନା): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତିନିଦିନ ଧରି ଲଗାଣ ବର୍ଷା ସମ୍ଭାବନା ରହିଛି।
ଏହି ସମୟରେ ଉପକୂଳ ଓଡ଼ିଶାରେ ବିଜୁଳି ମାରିବା ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଜି ଏକ ରିପୋର୍ଟରେ କୁହାଯାଇଛି। ତେବେ, ଏହାର ପ୍ରଭାବରେ କୋରାପୁଟ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର ଓ କଟକ ଆଦି ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ ଆଗୁଆ ସୂଚନା ଦିଆଯାଇଛି। ସେହିପରି ବର୍ଷା ଓ ଘଡ଼ଘଡ଼ି ମାରୁଥିବା ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି।
ସେହିପରି ଆସନ୍ତା ୩୦ରୁ ୧ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭବାନା ଥିବାବେଳେ ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏତଦ୍ ବ୍ୟତୀତ ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, କନ୍ଧମାଳ ଓ ମଲାକାନଗିରି ଆଦି ଜିଲ୍ଲାକୁ କାଳବୈଶାଖୀ ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।