ଫୁଲବାଣୀ,୩୧/୦୧(ଡି.ଏଚ): ଚୀନରେ ପାଠ ପଢ଼ୁଥିବା ଓଡ଼ିଶାର ଛାତ୍ରଙ୍କୁ କରୋନା ଭାଇରସ ସଂକ୍ରମଣ ସନ୍ଦେହ ! କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀର ଜଣେ ଛାତ୍ର କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ଉକ୍ତ ଛାତ୍ରଜଣକ ୧୦ ଦିନ ତଳେ ଚୀନରୁ ଘରକୁ ଚାଲିଆସିଥିଲେ। ଏହାପରେ ତାଙ୍କୁ ଥଣ୍ଡା ଓ କାଶ ହୋଇଥିଲା। ଏହପରେ ସେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କୁ ଚିଠି ଲେଖାଇ ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ସଂପର୍କରେ ଜଣାଇଥିଲେ । ଏହାପରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପରୀକ୍ଷାନିରୀକ୍ଷା କରାଯାଇଥିଲା। ଏହାପରେ ପରେ ତାଙ୍କୁ କଟକର ଏସସିବିକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା ହୋଇଥିବା ଜଣାଯାଇଛି । ଏହି ଚିଠି ସଂପର୍କରେ ପ୍ରଚାରିତ ହେବା ପରେ କନ୍ଧମାଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଫୁଲବାଣୀର ଉକ୍ତ ଡାକ୍ତରୀ ଛାତ୍ରଜଣକ ଚୀନରେ ଏମବିବିଏସ୍ ପଢୁଥିଲେ । ସେ ଚୀନରୁ ଅସୁସ୍ଥ ହୋଇ ଗତ ୧୧ ତାରିଖରେ ଫୁଲବାଣୀ ଫେରିଥିଲେ। ତେବେ ଘରକୁ ଫେରିବା ଦିନଠାରୁ ତାଙ୍କୁ କାଶ, ଥଣ୍ଡା ଛାଡ଼ୁ ନ ଥିବାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରିଥିଲେ । ସଦ୍ୟତମ ସୂଚନା ଅନୁଯାୟୀ ଏଯାବତ୍ ଉକ୍ତ କରୋନା ସନ୍ଦିଗ୍ଧ କଟକର ଏସସିବିରେ ପହଞ୍ଚି ନାହାନ୍ତି। ସେପଟେ, କେରଳ ପରେ ଦିଲ୍ଲୀକୁ ଡେଇଁଛି କରୋନା ଭୂତାଣୁ । ଦିଲ୍ଲୀରେ ୫ ଜଣଙ୍କ ଠାରେ କରୋନା ଭୂତାଣୁ ଥିବା ସନ୍ଦେହ ଘେରକୁ ଆସିଛି । ଦିଲ୍ଲୀ ବିମାନ ବନ୍ଦରରେ ଚୀନରୁ ଫେରିଥିବା ୫ ଜଣଙ୍କୁ ଯାଂଚ ବେଳେ ସେମାନଙ୍କଠାରେ କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖା ଦେଇଥିଲା ।


















