Sunday, September 20, 2026
ADVERTISEMENT
Home ମୁଖ୍ୟ ଖବର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଏଏସ୍ଆଇ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଏଏସ୍ଆଇ

495
ADVERTISEMENT

ପାଇକସାହି ୨୯/୬(ଡ଼ିଏଚବି): ଏକ କେସ୍‌ ରଫାଦଫା କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଟାପଢୋଲ ଫାଣ୍ତି ଅଧିକାରୀ ଗଜେନ୍ଦ୍ର ବେହେରା ଭିଜିଲାନ୍ସ ଦ୍ବାରା ଧରାପଡ଼ିଛନ୍ତି। ଅନୁଗୁଳ ଭିଜିଲାନ୍ସ ଡିଏସ୍‌ପି ପ୍ରଦୀପ କୁମାର ପ୍ରଧାନଙ୍କ ନେତୃତ୍ବରେ ଯାଇଥିବା ଭିଜିଲାନସ ଟିମ୍ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଜୁନ୍ ୧୩ ତାରିଖରେ ଠାକୁରଗଡ଼ ଥାନା କନ୍ତପଡ଼ା ଗ୍ରାମର ଜଗନ୍ନାଥ ବେହେରା ଓ ତାଙ୍କର ଦୁଇ ପୁଅ ଅମୂଲ୍ୟ ବେହେରା, ଅନିଲ୍‌ ବେହେରା କନ୍ତପଡ଼ା ଗ୍ରାମ ସମବାୟ ସମିତିଠାରେ ଗଣ୍ତଗୋଳ କରିଥିଲେ। ଏ ନେଇ ୩ ଜଣଙ୍କ ନାମରେ ଠାକୁରଗଡ଼ ଥାନାରେ ୫୬/୨୦୧୯ରେ ଏକ ମାମଲା ରୁଜୁ କରାଯାଇଥିଲା। ଟାପଢୋଲ ଫାଣ୍ତି ଅଧିକାରୀ ଗଜେନ୍ଦ୍ର ବେହେରା ଏହାର ତଦନ୍ତ କରୁଥିଲେ। ହେଲେ ଅନିଲ୍‌ଙ୍କ ନାମ ଉକ୍ତ ମାମଲାରୁ ବାଦ ନେବା ପାଇଁ ଜଗନ୍ନାଥ ଏଏସ୍‌ଆଇ ଗଜେନ୍ଦ୍ରଙ୍କୁ ନିବେଦନ କରିଥିଲେ। ଗଜେନ୍ଦ୍ର ୫ ହଜାର ଟଙ୍କା ଳାଞ୍ଚ ଦେଲେ ଅନିଲ୍‌ଙ୍କ ନାମ ଉକ୍ତ କେସ୍‌ରୁ ବାଦ ଦେବାକୁ କହିଥିଲେ। ପରେ ଜଗନ୍ନାଥ ଗୁରୁବାର ଦିନ ଏ ସଂପର୍କରେ ଅନୁଗୁଳ ଭିଜିଲାନ୍ସଠାରେ ଅଭିଯୋଗ କରିଥିଲେ। ଆଜି ସକାଳେ ଏଏସ୍‌ଆଇ ଗଜେନ୍ଦ୍ର ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ସେଠାରେ କଟକ ଓ ଅନୁଗୁଳ ଭିଜିଲାନ୍ସ ଟିମ୍‌ର ଏକ ଦଳ ପହଞ୍ଚିଥିଲେ। ସେମାନଙ୍କୁ ଦେଖିବା ପରେ ଚକମା ଦେଖାଇ ଏଏସ୍୍‌ଆଇ ଗଜେନ୍ଦ୍ର ଦୌଡ଼ି ପଳାଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଦୌଡ଼ି କାବୁ କରିଥିଲେ। ତାଙ୍କଠାରୁ କିଛି କାଗଜପତ୍ର ଓ ଲାଞ୍ଚ ନେଉଥିବା କେମିକାଲ୍‌ ଲାଗିଥିବା ୫ ହଜାର ଟଙ୍କା ଜବତ କରାଯାଇଥିଲା। ସୂଚନାଯୋଗ୍ୟ, ଏଏସ୍‌ଆଇ ଗଜେନ୍ଦ୍ର ପୂର୍ବରୁ ଗାଈ ବୋଝେଇ ଗାଡ଼ିଗୁଡ଼ିକୁ ଅଟକାଇ ବେଆଇନ୍‌ ଚାନ୍ଦା ଆଦାୟ କରୁଥିବା ନେଇ ଟାପଢୋଲ ଗ୍ରାମବାସୀ ଏସ୍‌ପିଙ୍କଠାରେ ଅଭିଯୋଗ କରିଥିଲେ।

Advertisement