ପୁରୀ, ୨୮/୬(ନୂପୁର ପ୍ରିୟଦର୍ଶିନୀ): ଆସନ୍ତା ୪ ତାରିଖରେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଯାହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ଶେଷ ରଥଯାତ୍ରା ସମନ୍ୱୟ ବୈଠକ। ସ୍ଥାନୀୟ ନିଳାଦ୍ରୀ ଭକ୍ତନିବାସ ପରିସରରେ ବେଦଧ୍ୱନୀରୁ ବୈଠକ ଆରମ୍ଭ ହୋଇଥିବାବେଳେ, ‘ରୂପରେଖ’ ନାମକ ଏକ ପୁସ୍ତକକୁ ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ମହାପ୍ରଭୁଙ୍କର ରଥ ନିର୍ମାଣ ଠାରୁ ଆରମ୍ଭ କରି ସମ୍ପୁର୍ଣ୍ଣ ଘୋଷଯ଼ାତ୍ରାର ନୀତିକାନ୍ତିକୁ ଉପସ୍ଥାପନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପରେ ନିଜ ନିଜ ବିଭାଗର ତଥ୍ୟକୁ ଉପସ୍ଥାପନ କରିଥିଲେ ବିଭାଗୀୟ ଅଧିକାରୀମାନେ। ତେବେ, ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତଙ୍କ ସହଯ଼ୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆସନ୍ତା ରଥଯ଼ାତ୍ରାରେ ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ରହୁଥିବାରୁ ବୈଠକରେ ସ୍ୱାସ୍ଥ୍ୟ ଓ ପରିମଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଖଟିଆ ସଂଖ୍ୟା ବୃଦ୍ଧି କରାଯ଼ାଇଥିବା ବେଳେ, ଅଧିକ ସଂଖ୍ୟକ ଡାକ୍ତରଙ୍କୁ ନିଯୋଜିତ କରାଯ଼ିବ। ସେହିଭଳି ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ୨୪ଘଣ୍ଟା ପାନୀୟ ଜଳ ଯ଼ୋଗାଯ଼ିବା ସହ, ଗମନାଗମନ ପାଇଁ ୧୯୪ଟି ସ୍ପେଶାଲ ଟ୍ରେନ ଏବଂ ଅଧିକ ବସ ଚଳାଚଳ କରିବ। ସୁରକ୍ଷା ଦୃଷ୍ଟିରୁ ୧୫୫ ପ୍ଲାଟୁନ ପୋଲିସ ଫୋର୍ସ ସମେତ ସ୍ପେଶାଲ ରାପିଡ ଆକ୍ସନ ଫୋର୍ସ, ଏସଓଜି, ଏସଟିୟୁ, ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ ଆଦି ମୁତୟନ କରାଯ଼ିବ। ଶ୍ରୀମନ୍ଦିର ଭିତରେ ଏବଂ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ସହାୟତାରେ ତୀକ୍ଷ୍ଣ ନଜର ରଖାଯିବ। ତେବେ, ପ୍ରଥମଥର ପାଇଁ ଚଳିତବର୍ଷ ଏନଏଚ୍ଏଆଇ ପକ୍ଷରୁ ରଥଯାତ୍ରା, ବାହୁଡାଯାତ୍ରା ଏବଂ ସୁନାବେଶ ଦିନ ଟୋଲ୍ ଗେଟ ଫି ଛାଡ କରାଯାଇଛି।

ବୈଠକରେ ୬ଟି ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସାଂସଦ, ପୋଲିସ ଡିଜିଙ୍କ ସମେତ ବୁଦ୍ଧିଜୀବୀ ଓ ସେବାୟତ ପ୍ରମୁଖ ଯୋଗଦେଇଥିଲେ। ଆଜିକାର ଶେଷ ସମନ୍ୱୟ ବୈଠକ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିବାବେଳେ, ଆଗାମୀ ଘୋଷଯ଼ାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ଶେଷହେଉଛି ତାହା ଏବେ ଦେଖିବାକୁ ବାକି ରହିଲା।