ଭୁବନେଶ୍ୱର ,୧୯/୧(ଡି.ଏଚ) : ପୁରୀ ବଡଦାଣ୍ଡ ରେ ଡିଗ୍ରୀ ଇଞ୍ଜିନିଅର ଧାରୀ ସାଝିଛନ୍ତି ଭିକାରୀ | ଉଚ୍ଚଶିକ୍ଷିତ ଓ ଯୋଗ୍ୟତା ଥାଇ ମଧ୍ୟ ସୁଯୋଗ ଓ ପରିସ୍ଥିତି ଅଭାବରୁ ଚାକିରୀ ମିଳୁନାହିଁ | ଜଣେ ଡିଗ୍ରୀ ଧାରୀ ଇଞ୍ଜିନିଅର ବର୍ଷ ବର୍ଷ ଧରି ବଡଦାଣ୍ଡରେ ଭିକ୍ଷାବୃତି କରିବା ଏହା ପ୍ରମାଣ କରୁଛି | ବଡ଼ଦାଣ୍ଡରେ ଜଣେ ରିକ୍ସା ଚାଳକଙ୍କ ସହିତ ଗଣ୍ଡଗଳ ହେବା ପରେ ସମ୍ପୃକ୍ତ ଭିକାରୀ ରିକ୍ସା ଚାଳକଙ୍କୁ ମାରି ରକ୍ତାକ୍ତ କରିବା ସହ ନିଜେ ମଧ୍ୟ ଆହତ ହୋଇଥିଲେ | ଭିକାରୀ ଜଣକ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଏବେ ତାଙ୍କ ଏତଲାରୁ ନୂଆକଥା ସାମ୍ନା କୁ ଆସିଥିଲା |
ଇଂରାଜୀରେ ସେ ଯେଉଁ ଏତଲା ଲେଖିଥିଲେ ତାହା ଥିଲା ଅତ୍ୟନ୍ତ ନିର୍ଭୁଲ ଓ ଉଚକୋଟିର | ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଭିକ୍ଷୁକ ପରିଚୟ ଦେଉଥିବା ଭିକାରୀଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପୋଲିସ ପାଖରେ ପ୍ରକାଶ କରିଥିଲେ | ଭିକ୍ଷା ବୃତ୍ତି କରୁଥିବା ଇଞ୍ଜିନିଅରିଂ ଭିକାରୀ ଜଣକ ହେଲେ ଭୁବନେଶ୍ୱର ଜୟଦେବ ବିହାରର ଗିରିଜା ଶଙ୍କର ମିଶ୍ର ବୋଲି ସୂଚନା ମିଳିଥିବା ବେଳେ ତାଙ୍କ ବାପା ପ୍ରଫୁଲ୍ଲ ମିଶ୍ର ଜଣେ ଅବସର ପ୍ରାପ୍ତ ପୋଲିସ ଡିଏସ୍ପି । ଯାହାଙ୍କ ଦେହାନ୍ତ ହୋଇ ସାରିଛି|| ସେ ଜଣେ ମେଧାବୀ ଛାତ୍ର ଥିଲେ ବିଏସସି ପରେ ସେ 1995 ରେ ଭୁବନେଶ୍ୱରରେ ଥିବା ସିପେଟ କଲେଜରେ ପ୍ଲାଷ୍ଟିକ ଇଞ୍ଜିନିଅରିଙ୍ଗ କରିଥିଲେ।

ପରେ ସେ ସେତେବେଳେ ବମ୍ବେ ରେ ଏକ ଚାକିରୀ କରିଥିଲେ। ତେବେ କେତେକ ସମସ୍ୟା ଓ ମାନସିକ ସ୍ଥିତି ଠିକ ନ ରହିବାରୁ ଚାକିରୀ ଛାଡି ଦେଇ ଥିଲେ। ପରେ ସେ ପୁରୀ ସମେତ ଆଲ୍ଲାବାଦ, ବୈଷ୍ଣ ଦେବୀ ତଥା ବିଭିନ୍ନ ତୀର୍ଥ କ୍ଷେତ୍ରରେ ରହି ଭିକ୍ଷା ବୃତି କରୁଛନ୍ତି।


















