Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ଦାନା ବାନ୍ଧୁଛି ଲଘୁଚାପ : ଜୁଲାଇ ପ୍ରଥମ ସପ୍ତାହରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଅର୍ଧାଧିକ ଜିଲ୍ଲା...

ଦାନା ବାନ୍ଧୁଛି ଲଘୁଚାପ : ଜୁଲାଇ ପ୍ରଥମ ସପ୍ତାହରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଅର୍ଧାଧିକ ଜିଲ୍ଲା ପାଇଁ ସତର୍କ ସୂଚନା

384
ADVERTISEMENT

ଭୁବନେଶ୍ବର ୨୭/୬(ଡ଼ିଏଚବି): ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ୩୦ ତାରିଖ ବେଳକୁ ଲଘୁଚାପ ଅଧିକ ଘନୀଭୂତ ହୋଇ ଜୁଲାଇ ୧ ରେ ଅବପାତରେ ପରିଣତ ହେବ। ଏହାର ୨୪ ଘଣ୍ଟା ପରେ ଅର୍ଥାତ୍‌ ଜୁଲାଇ ୨ ବେଳକୁ ଆହୁରି ଶକ୍ତିଶାଳୀ ହେବା ସହ ଗଭୀର ଅବପାତରେ ପରିଣତ ହୋଇ ଓଡ଼ିଶା ଉପକୂଳ ଛୁଇଁବ। ପ୍ରଭାବରେ ୩୦ ତାରିଖଠାରୁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ। ୪ ଦିନ ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହିବ। କେତେକ ସ୍ଥାନରେ ୨୦୦ ମିମିରୁ ଅଧିକ ପରିମାଣର ବର୍ଷା ‌ହୋଇପାରେ। ଏହି ଲଘୁଚାପ ଦ୍ବାରା ଦକ୍ଷିଣ ପଶ୍ଚିମ ମୌସୁମୀ ବା‌ୟୁ ପୁଣିଥରେ ଓଡ଼ିଶାରେ ସକ୍ରିୟ ‌ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।



ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ନାହିଁ। ୨୮ ତାରିଖ ବେଳକୁ କାଳବୈଶାଖୀ ପ୍ରଭାବରେ ଉପକୂଳ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବ। କେତେକ ସ୍ଥାନରେ ବଜ୍ରପାତର ବି ଆଶଙ୍କା ରହିଛି। ୨୯ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୩୦ ତାରିଖରେ ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରବଳ ବର୍ଷା ହେବ। ‌ତେ‌ବେ ଜୁଲାଇ ୧ରୁ ପୁରୀ, ଖୋର୍ଧା, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର ଓ ଢ଼େଙ୍କାନାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ। ଏପରିକି ଗୋଟିଏ ଦୁଇଟି ସ୍ଥାନ‌ରେ ୨୦୦ ମିମି ବର୍ଷା ହୋଇପାରେ। ଏହି ସମୟରେ ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ନୟାଗଡ଼, ଅନୁଗୁଳ, କଳାହାଣ୍ଡି, କନ୍ଧମାଳ, ଦେବଗଡ଼, ସମ୍ବଲପୁର, କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ତାହାକୁ ଦୃଷ୍ଟିରେ ରଖି ଅଧା ଓଡ଼ିଶା ପାଇଁ ସତର୍କ ସୂଚନା ଜାରି ହୋଇଛି। ଏଥିସହ ଜୁଲାଇ ୧ରେ ମତ୍ସ୍ୟଜୀବୀମାନେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି ଯେ ୩୦ରେ ଘନୀଭୂତ ହେବାକୁ ଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୨ ତାରିଖ ସକାଳ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଓଡ଼ିଶା ଉପକୂଳରେ ଏହା ଡିପ୍‌ ଡିପ୍ରେସନ୍‌ର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରଭାବରେ ୩୦ ତାରିଖ ଅପରାହ୍‌ଣ କିମ୍ବା ରାତିରୁ ବର୍ଷା ଆରମ୍ଭ ହୋଇ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲାଗି ରହିବ। ସୃଷ୍ଟ ଲଘୁଚାପ ଯୋଗୁଁ ଜୁନ୍‌ ୩୦ ଓ ଜୁଲାଇ ୧ରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସି˚ହପୁର, ଯାଜପୁର, ଢେ଼ଙ୍କାନାଳ, ଅନୁଗୁଳ, ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ନିକଟବର୍ତୀ ଉପକୂଳ ଜିଲ୍ଲାଗୁଡ଼ିକରେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୬୦ କିମି ରହିବ। ତେବେ ଜୁନ୍‌ ୨୮ ପର୍ଯ୍ୟନ୍ତ ଖରା ଓ ଗୁଳୁଗୁଳିର ପ୍ରକୋପ ରହିବ। ଏହି ସମୟ ମଧ୍ୟରେ ତାପମାତ୍ରା ୩୪ରୁ ୩୬ ଡିଗ୍ରି ମଧ୍ୟରେ ରହିବ। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କୌଣସି ସ୍ଥାନରେ ବର୍ଷା ହୋଇନାହିଁ। ପାଗ ଶୁଖିଲା ରହିଛି। ତାପମାତ୍ରା ସାମାନ୍ୟ ବଢ଼ିଥିଲେ ମଧ୍ୟ ୪୦ ଡିଗ୍ରି ଭିତ‌ରେ ରହିଛି। ଟିଟିଲାଗଡ଼ ଓ ତାଳଚେରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୫ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ସମ୍ବଲପୁରରେ ୩୮.୭, ଭବାନୀପାଟଣାରେ ୩୮.୫, ଅନୁଗୁଳରେ ୩୮.୩, ହୀରାକୁଦରେ ୩୮.୧, ବଲାଙ୍ଗୀର, ମାଲକାନଗିରି ଓ ଝାରସୁଗୁଡ଼ାରେ ୩୮ ଡିଗ୍ରି ରହିଥିଲା।



Advertisement