ଭୁବନେଶ୍ୱର, ୨୬/୬(ନରେନ୍ଦ୍ର ଜେନା): ଏଣିକି ଷ୍ଟେସନ ହେଉ ଅବା ଟ୍ରେନ। କିନ୍ନରମାନେ ପ୍ରବେଶ କରିବେ ନାହିଁ। ଯାତ୍ରୀ ହିସାବରେ ସେମାନେ ଯାଇପାରିବେ କିନ୍ତୁ ଭିକ୍ଷାବୃତ୍ତି କରିପାରିବେ ନାହିଁ। ଗତକାଲି ରେଲୱେ କର୍ତ୍ତୃପକ୍ଷ, ଆରପିଏଫ ଓ ରେଳବାଇ ପୁଲିସ ଏକ ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ କିନ୍ନରମାନଙ୍କ ସହିତ ପ୍ରଥମେ ଆଲୋଚନା କରାଯିବ, ସେମାନେ ରହୁଥିବା ସ୍ଥାନକୁ ଯାଇ ପୁଲିସ ସେମାନଙ୍କୁ ବୁଝାଇବ। ଯଦି ସେମାନେ ଏହାକୁ ନ ମାନି ଷ୍ଟେସନ ଓ ଟ୍ରେନ ଭିତରେ ଭିକ୍ଷାବୃତ୍ତି କରନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଷ୍ଟେସନ ଓ ଟ୍ରେନ ଭିତରେ ଯାତ୍ରୀଙ୍କ ସୁରକ୍ଷା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। କେମିତି ଯାତ୍ରୀମାନେ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ। ବିଶେଷକରି ମହିଳା ଓ ଶିଶୁ ଯାତ୍ରୀମାନଙ୍କ ସୁରକ୍ଷାକୁ କିଭଳି ପ୍ରଧାନ୍ୟ ଦିଆଯାଇ ପାରିବ ତା ଉପରେ ସବିଶେଷ ଆଲୋଚନା ହୋଇଥିଲା। କିଭଳି ନିଶାଦିଆ ଲୁଟେରାଙ୍କଠାରୁ ଆରମ୍ଭ କରି ଲୁଟେରାମାନଙ୍କ ହାବୁଡ଼ରେ ଯାତ୍ରୀମାନେ ନ ପଡ଼ିବେ ସେନେଇ ପୁଲିସ ଯତ୍ନବାନ ହେବ। ଏନେଇ ଜିଆର୍ପି ଓ ଆରପିଏଫ୍ ଅଧିକାରୀମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି। ଏଥିପାଇଁ ଜିଆରପି ଓ ରେଲୱେ ପୁଲିସ ମଧ୍ୟରେ ଏକ ହ୍ବାଟସଆପ୍ ଗ୍ରୁପ ଗଠନ କରାଯିବ। ଏହି ଗ୍ରୁପ ମାଧ୍ୟମରେ ପେଶାଦାର ରେଳବାଇ ଅପରାଧୀମାନଙ୍କ ଫଟୋ ସେୟାର କରାଯିବ। ସେହିପରି ଗ୍ରୁପ ମାଧ୍ୟମରେ ତଥ୍ୟର ମଧ୍ୟ ଆଦାନ ପ୍ରଦାନ କରାଯିବ। ଟ୍ରେନରେ ନିଶା, ମାରଣାସ୍ତ୍ର ଚାଲାଣ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ଆଲୋଚନା ହୋଇଥିଲା।
ସେହିପରି ଜିଆରପି କର୍ମଚାରୀମାନଙ୍କୁ ମଧ୍ୟ ବୋମା ନିଷ୍କ୍ରିୟ କରାଯିବା ତାଲିମ ପ୍ରଦାନ କରାଯିବ। ସମସ୍ତ ଷ୍ଟେସନରେ ବ୍ୟାଗେଜ ସ୍କାନର ଲଗାଯିବା ସହିତ ସିସି କ୍ୟାମେରା ଲଗାଯିବାକୁ କୁହାଯାଇଛି। ଆଗକୁ ରଥଯାତ୍ରା ଆସୁଥିବାରୁ ପୁରୀକୁ ଯିବା ଆସିବା କରିବାକୁ ଥିବା ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ବୈଠକ ସ୍ଥିର ହୋଇଥିଲା।