ଭୁବନେଶ୍ବର,୭।୧(ଡି.ଏଚ ) : ଆସନ୍ତାକାଲି ଦେଶର ଶ୍ରମିକ ସଂଗଠନଗୁଡ଼ିକ ଡାକରା ଦେଇଥିବା ୨୪ ଘଣ୍ଟିଆ ଭାରତ ବନ୍ଦକୁ ବିଜୁ ଜନତା ଦଳ ସମର୍ଥନ କରିବ ନାହିଁ ବୋଲି ପରୋକ୍ଷ ସୂଚନା ମିଳିଛି। ତେବେ ଆଜି ସକାଳେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଭାରତ ବନ୍ଦକୁ ଆମେ ସମର୍ଥନ କରିବୁ ବୋଲି ବୟାନ ଦେଇଥିବା ବେଳେ ଅନୁମାନ କରାଯାଇଥିଲା କି ବିଜୁ ଜନତା ଦଳ ହୁଏତ ବନ୍ଦକୁ ସମର୍ଥନ କରିପାରେ। ମାତ୍ର ଆସନ୍ତାକାଲି ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବାରିପଦାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଲାଗି ନିର୍ମିତ ଏକ ଆବାସିକ ବିଦ୍ୟାଳୟର ଲୋକାର୍ପଣରେ ଯୋଗଦେବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଆଦାନି ଫାଉଣ୍ଡେସନର ଆର୍ଥିକ ସହାୟତା ଓ କିସ୍ ସହଭାଗିତାରେ ଏହି ବିଦ୍ୟାଳୟ ନିର୍ମିତ ହୋଇଛି ଓ ଏଥିରେ ୧୫୦୦ ଛାତ୍ରଛାତ୍ରୀ ରହି ପାଠପଢ଼ିବାର ସୁବିଧା ରହିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ଭିତରେ ଉତ୍ସାହ ଦେଖାଯାଇଛି। ଏହା ସ୍ପଷ୍ଟ ସୂଚନା ଦେଉଛି କି ବିଜୁ ଜନତା ଦଳ ଭାରତ ବନ୍ଦଠାରୁ ନିଜକୁ ଦୂରେଇ ରଖିବ।


















