ଭୁବନେଶ୍ୱର, ୨୫/୬(ନରେନ୍ଦ୍ର ଜେନା): ଆଜି ଚଳିତ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖି ବାତ୍ୟା ‘ଫନି’ର ଭୟାବହତା ଓ କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେବାସହ ଏହାର ମୁକାବିଲାରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହାସହ ସେ ଦିବଂଗତ ପୂର୍ବତନ ଏମ୍ପି, ବିଧାୟକ ଏବଂ ଶହୀଦ ଯବାନମାନଙ୍କ ପାଇଁ ଶୋକପ୍ରକାଶ କରିଛନ୍ତି।
ରାଜ୍ୟପାଳ କହିଛନ୍ତି ଯେ, ଲୋକଙ୍କ ଭରସା ଓ ବିଶ୍ୱାସକୁ ବଜାୟ ରଖିବାକୁ ଆମେ ସଙ୍କଳ୍ପବଦ୍ଧ। ନିର୍ବାଚନ ପ୍ରତିଶୃତି ପାଳନ ପାଇଁ ସରକାର ଗଠନର ପ୍ରଥମ ଦିନରୁ କାମ ଆରମ୍ଭ ହୋଇଛି। କାଳିଆ ଯୋଜନାରେ ଭୂମିହୀନ, ଭାଗଚାଷୀଙ୍କୁ ସାମିଲ କରାଯାଇଛି। ସେହିପରି ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ୫ହଜାର କୋଟିଟଙ୍କାର କାମ ଦିଆଯିବ। ପ୍ରତି ପଞ୍ଚାୟତ ଓ ଜିଲ୍ଲା ସ୍ତରରେ ମିଶନ ଶକ୍ତି ଗୃହ ପ୍ରତିଷ୍ଠା ହେବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ମିଳୁଛି। ହାଇସ୍କୁଲରେ ଆଇଟି ଲାବ୍ ପ୍ରତିଷ୍ଠା ହେବ। ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନକୁ ଓ୍ବାଇଫାଇ କରାଯିବ। ଶିଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି।
ଭୁବନେଶ୍ୱରରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକଶିତ ହେଉଛି। ସେହିପରି କଟକରୁ ରାଜଧାନୀକୁ ମେଟ୍ରୋ ରେଳ ଦ୍ୱାରା ଯୋଡିବାକୁ ଉଦ୍ୟମ ହେବା ସହ ପୁରୀକୁ ଏକ ବିଶ୍ୱଐତିହ୍ୟ ନଗରୀ ରୂପେ ପରିଗଣିତ କରାଯିବ। ୫ଟି ମ୍ୟୁନିସିପାଲ କର୍ପୋରେଶନକୁ ସ୍ମାର୍ଟସିଟି ପାଇଁ ଉଦ୍ୟମ ଚାଲିଛି ବୋଲି ମଧ୍ୟ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ସୂଚନା ଦେଇଛନ୍ତି।

















