ବଲାଙ୍ଗୀର,୩୦।୧୨,(ଡି.ଏଚ/ଦେବବ୍ରତ ଗୁରୁ) : ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବୁଲି ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟ ରେ ରାଜେନ୍ଦ୍ର କଲେଜ ଶିକ୍ଷା ମନ୍ଦିରରୁ ଗତ ୭୫ ବର୍ଷରେ ଅନେକ ଲୋକ ପାଠ ପଢି ରାଜ୍ୟ,ଦେଶ ତଥା ବିଦେଶରେ ନିଜକୁ ପ୍ରତିଷ୍ଠିତ କରାଇ ଅନେକ ସୁନାମ ଆଣିଛନ୍ତି ବୋଲି ମତ ବ୍ୟକ୍ତ କଲେ । ଆମେ ଅନେକ ବାଟ ଆସି ସାରିଛେ ମାତ୍ର ଅନ୍ୟ ସାଙ୍ଗେ ତୁଳନା କଲେ ଆମେ ସେମିତି ଆଖି ଦୃଶିଆ ସଫଳତା ହାସଲ କରିନାହୁଁ ,ଜୁବୁଲି ଉତ୍ସବରେ ଏସବୁର ସମୀକ୍ଷା ହେବା ଦରକାର । ଆଜିବି ଏଠି ଅଧ୍ୟାପକ ମରୁଡ଼ି, ଭିତ୍ତିଭୂମି ତଥା ଆନୁସଙ୍ଗିକ ବ୍ୟବସ୍ଥାର ଅଭାବ ରହିଛି। ଯାହାକି ମୁଁ ବାରମ୍ବାର ବିଧାନସଭାରେ ଉପସ୍ଥାପନ କରି ଆସିଅଛି । ଆମେ ଚାହୁଁ ରାଜେନ୍ଦ୍ର କଲେଜ ଓ ପୃଥକ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ହେଉ । କଲେଜରେ ଯଥାବତ ପାଠ ପଢ଼ା ଚାଲୁ ଏବଂ ବିଶ୍ୱବିଦ୍ୟାଳୟ ଉଚ୍ଚ ଶିକ୍ଷା ତଥା ଗବେଷଣା ମୂଳକ କାର୍ଯ୍ୟ ପାଇଁ ଉପଯୋଗ ହେଉ ଯାହା ଦ୍ୱାରା ଆମେ ଉତ୍କଳ ବିଶ୍ବବିଦ୍ୟାଳୟ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମକକ୍ଷ ହେବା । ସବୁ ଅସୁବିଧା ଥାଇ କେବଳ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇ ଦେଲେ ଆମ ପେଟ ପୁରିବ ନାହିଁ । ବିଶ୍ବବିଦ୍ୟାଳୟର ଉନ୍ନତି ସକାଶେ ଦଳମତ ନିର୍ବିଶେଷରେ ସମସ୍ତ ନୂତନ,ପୁରାତନ ଛାତ୍ର,ବୁଦ୍ଧିଜୀବୀ,ଶିକ୍ଷାବିତ ଆଗଭର ହେଇ କାମ କଲେ ଦେଶରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଗୋଟେ ନାଁ କରୀ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ପରିଣତ ହେବ ବୋଲି ମନ୍ତବ୍ୟ ରଖିଲେ ବିଧାୟକ ଶ୍ରୀ ନରସିଂହ ମିଶ୍ର ।



















