ପୁରୀ,୨୯ା୧୨(ଡି.ଏଚ): ଆଉ ୩ ଦିନ ପରେ ନୂଆବର୍ଷ। ପୁରୀରେ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ, ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତି, ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ, ଭକ୍ତଙ୍କ ଦର୍ଶନ ଓ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ସୁବ୍ୟବସ୍ଥିତ କରାଯାଇଛି। ନୂଆବର୍ଷରେ ଶ୍ରୀମନ୍ଦିରକୁ ଆସିବାକୁ ଥିବା ଭକ୍ତମାନେ ଯେପରି କୌଣସି ପ୍ରକାର ସମସ୍ୟାରେ ନ ପଡ଼ନ୍ତି ସେଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି। ଅନ୍ୟପକ୍ଷରେ ସିଂହଦ୍ୱାର ସମ୍ମୁଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ନୂଆ ରୂପ ଦିଆଯାଉଛି। ଶନିବାର ପୂର୍ବପାର୍ଶ୍ୱ ମେଘନାଦ ପାଚେରି କଡ଼ରେ ଆଲୋକୀକରଣ କରାଯାଇଛି। ଫଳରେ ଝଲସୁଛି ମେଘନାଦ ପାଚେରି।
ଶ୍ରୀମନ୍ଦିରକୁ ଆସୁଥିବା ଦର୍ଶନାର୍ଥୀଙ୍କ ଲାଗି ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏହି ନିର୍ଦ୍ଦେଶ ପାଳନ ପାଇଁ ଜିଲା ପ୍ରଶାସନ, ଶ୍ରୀମନ୍ଦିର ଏବଂ ପୋଲିସ ପ୍ରଶାସନ ସମସ୍ତେ ଲାଗିପଡ଼ିିଛନ୍ତି। ନୂଆବର୍ଷରେ ଭକ୍ତଙ୍କୁ ନୂଆ ଅନୁଭୂତି ଦେବା ପାଇଁ ସିଂହଦ୍ୱାର ସମ୍ମୁଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ନିଆରା ଢଙ୍ଗରେ ସଜା ଯାଉଛି।


















