Wednesday, August 19, 2026
ADVERTISEMENT
Home Uncategorized ରୋଗୀ କଲ୍ୟାଣ ସମିତିର ବୈଠକ

ରୋଗୀ କଲ୍ୟାଣ ସମିତିର ବୈଠକ

312
ADVERTISEMENT

ହିଞ୍ଜିଳିକାଟୁ, ୨୪/୬(ଶେଷଦେବ ସାହୁ): ହିଞ୍ଜିଳିକାଟୁ ରୋଗୀ କଲ୍ୟାଣ ସମିତିର ବାର୍ଷିକ ସାଧାରଣ ବୈଠକ ସୋମବାର ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାକକ୍ଷ ଗୃହରେ ଅନୁଷ୍ଠିତ ହୋଇଯାଇଛି । ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଉନ୍ନତିକରଣ ସର୍ମ୍ପକରେ ଆଲୋଚନା କରାଯାଇଥିଲା ।

ସଂପୃକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତି ପ୍ରାୟ ୩୦ରୁ ଉର୍ଦ୍ଧ୍ଵ ଗ୍ରାମର ଜନସାଧାରଣ ନିର୍ଭର କରିଆସୁଛନ୍ତି । ଡ଼ାକ୍ତରଖାନାକୁ ପ୍ରତ୍ୟହ ଚିକିତ୍ସା ସକାଶେ ଦୈନିକ ୪ ଶହରୁ ଉର୍ଦ୍ଧ୍ଵ ରୋଗୀ ଆସୁଥିବାବେଳେ ସେହି ଅନୁପାତରେ ଆବଶ୍ୟକ ସଂଖ୍ୟକ ଚିକିତ୍ସକ ଓ କର୍ମଚାରୀ ନଥିବା ଯୋଗୁଁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଭେଷଜ, ସ୍ତ୍ରୀ ଓ ପ୍ରସୂତି ବିଭାଗୀୟ ଡ଼ାକ୍ତର ସମେତ ଫାର୍ମାସିଷ୍ଟ, ଏଏନଏମ୍, ଷ୍ଟାଫନର୍ସ, ଆଟେଣ୍ଡାଂଟ, ଝାଡ଼ୁଦାର ଇତ୍ୟାଦି ନିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ଏଥିସହ ଡ଼ାକ୍ତରଖାନା ପରିସରରେ ବୃକ୍ଷରୋପଣ କରିବା ସହ ଡ଼ାକ୍ତରଖାନା ପରିସର ପରିଷ୍କାର ପରିଚ୍ଛନ୍ନ ରଖିବା, ଅଧିକ ସଂଖ୍ୟକ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ଆବଶ୍ୟକତା ରହିଥିବା, ଡ଼ାକ୍ତରଖାନାରେ ରୋଗୀ ଓ ସର୍ମ୍ପକୀୟଙ୍କ ସକାଶେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସକାଶେ ୱାଟର ପ୍ୟୁରିଫାଇର ଯନ୍ତ୍ର ସ୍ଥାପନ ସହ ଡ଼ାକ୍ତରଖାନା ପରିସର ମଧ୍ୟରେ ବିଦ୍ୟୁତ ତାରଗୁଡ଼ିକ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ତୁରନ୍ତ ସଜାଡ଼ିବା ସକାଶେ ବୈଠକରେ ମତପ୍ରକାଶ ପାଇଥିଲା ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରୋଗୀ କଲ୍ୟାଣ ସମିତିର ଉପାଧ୍ୟକ୍ଷ ତଥା ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୌରାଞ୍ଚଳ ବିଜେଡ଼ି ସଭାପତି ଭୀମସେନ ବେହେରା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ର, ଡ଼ାକ୍ତର ମାଧବ କୁମାର ସାହୁ, ଡ଼ାକ୍ତର ଦୁର୍ଗା ପ୍ରସାଦ ପଣ୍ଡା, ଡ଼ାକ୍ତର ଶେଖ ଅନସାରୀ ଅଲ୍ଲୀ, ଫାର୍ମାସିଷ୍ଟ କାର୍ତ୍ତିକେଶ୍ୱର ସାହୁ, ଏକାଉଣ୍ଟେନ୍ଟ ସୁଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement