Thursday, November 5, 2026
ADVERTISEMENT
Home ମୁଖ୍ୟ ଖବର ଟୋଲ୍‌ଗେଟ୍‌ରେ ଆଉ ଅପେକ୍ଷା କରିବାକୁ ପଡ଼ିବନି: ଆଜିଠୁ ଫାଷ୍ଟାଗ୍‌ ବ୍ୟବସ୍ଥା

ଟୋଲ୍‌ଗେଟ୍‌ରେ ଆଉ ଅପେକ୍ଷା କରିବାକୁ ପଡ଼ିବନି: ଆଜିଠୁ ଫାଷ୍ଟାଗ୍‌ ବ୍ୟବସ୍ଥା

310
ADVERTISEMENT

ଭୁବନେଶ୍ୱର,୧୫।୧୨(ଡି.ଏଚ): ଟୋଲ୍‌ଗେଟ୍‌ରେ ଟିକସ ଦେବା ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଛିଡାହେବାକୁ ପଡିବନାହିଁ। ଫାଷ୍ଟାଗ୍‌ ଜରିଆରେ ଗାଡି ଚାଳକ ଟୋଲ ଟିକସ ଭରିପାରିବେ । ରବିବାରଠାରୁ ଏହି ବ୍ୟବସ୍ଥାକୁ ସମଗ୍ର ଦେଶରେ ଲାଗୁ କରାଯିବ। କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ଏ ନେଇ ଘୋଷଣା କରାଯାଇଥିଲା। ୨୦୧୯ ଡିସେମ୍ବର ୧ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହୋଇଥାଆନ୍ତା। ମାତ୍ର ଆନୁଷଙ୍ଗିକ ଭିତ୍ତିଭୂମି କରାଯାଇ ପାରି ନ ଥିବାରୁ ଏହାକୁ ଡିସେମ୍ବର ୧୫ ତାରିଖରେ ଲାଗୁ କରିବାକୁ ଘୋଷଣା କରାଯାଇଥିଲା। ଓଡିଶାରେ ଜାତୀୟ ରାଜପଥର ୧୧ଟି ଟୋଲଗେଟରେ ମଧ୍ୟ ଏହି ଫାଷ୍ଟାଗ୍‌ ବ୍ୟବସ୍ଥା ଲାଗୁ କରାଯିବ। ସେହି ଟୋଲଗେଟଗୁଡିକ ହେଲା ୨୧୫ ଜାତୀୟ ରାଜପଥର ପାଣିକୋଇଲିଠାରୁ ରାମୁଳି ମଧ୍ୟରେ ଥିବା ବନଯୋଡି(ପଦ୍ମପୁର), ୬ ନମ୍ବର ଜାତୀୟ ରାଜପଥର ସମ୍ବଲପୁର ଓ ବରଗଡ ମଧ୍ୟରେ ଥିବା ବରଗଡ, ୧୬ ନମ୍ବର ଜାତୀୟ ରାଜପଥର ଗୁଡିପଡା, ୧୬ ନମ୍ବର ଜାତୀୟ ରାଜପଥର ଗୁରାପାଲି, ୨୧୫ ନମ୍ବର ଜାତୀୟ ରାଜପଥର ହସନପୁର, ୨୧୫ ଜାତୀୟ ରାଜପଥର ଖଣ୍ଟାଘର, ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି, ୧୬ ନମ୍ବର ଜାତୀୟ ରାଜପଥର ସେରଗଡ, ଜାତୀୟ ରାଜପଥ ୫-ଏ’ର ଶ୍ରୀରାମପୁର, ଏନ୍‌ଏଚ୍‌-୧୬ର ମଙ୍ଗୁଳି ଏବଂ ଏନ୍‌ଏଚ୍‌-୩୧୬ର ପାଟଶାଣୀପୁର(ପିପିଲି)। ଫାଷ୍ଟାଗ୍‌ ହେଉଛି ଏକ ପ୍ରି-ପେଡ୍‌ ଟାଗ୍‌। ଏହି ଟାଗ୍‌ ଗାଡିର ଆଗ କାଚ(ଓ୍ବିଣ୍ଡୋ ସ୍କ୍ରିନ)ରେ ଲାଗିବ। ଟୋଲ ପ୍ଲାଜା ଦେଇ ଗାଡି ଅତିକ୍ରମ କରିବା ମାତ୍ରେ ଟିକସ ଆପେ ଆପେ ବ୍ୟାଙ୍କ ଆକାଉଣ୍ଟରୁ କଟିଯିବ। ଫଳରେ ଯାନବାହନ ଚାଳକମାନଙ୍କୁ ଟିକସ ଦେବା ଲାଗି ଅଟକିବାକୁ ପଡିବ ନାହିଁ। ଏଥିପାଇଁ ଏକ ସ୍ବତନ୍ତ୍ର ଲାଇନ ରହିବ। ସେହି ଲାଇନକୁ ବିନା ଫାଷ୍ଟାଗ୍‌ ଗାଡି ପ୍ରବେଶ କଲେ ତାଙ୍କୁ ଟିକସର ଦୁଇଗୁଣା ଦେବାକୁ ପଡିବ।
ଟିକସ ଆଦାୟରେ ସ୍ବଚ୍ଛତା ରକ୍ଷା କରାଯାଇପାରିବ। ଟିକସ ବାଟମାରଣାକୁ ରୋକାଯାଇ ପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କ୍ରେଡିଟ କାର୍ଡ, ଡେବିଟ କାର୍ଡ, ନେଟ ବ୍ୟାଙ୍କିଙ୍ଗ୍‌ ଏବଂ ୟୁନିଫାଏଡ୍‌ ପେମେଣ୍ଟ ବ୍ୟବସ୍ଥା ଜରିଆରେ ଫାଷ୍ଟାଗ୍‌ ରିଚାର୍ଜ କରାଯାଇପାରିବ। ଏଥିସହିତ ଫାଷ୍ଟାଗ୍‌ ବିଷୟରେ ଜାଣିବା ପାଇଁ ଉପଭୋକ୍ତାମାନେ ଟୋଲଫ୍ରି ନମ୍ବର ୧୦୩୩କୁ କଲ କରି ଜାଣି ପାରିବେ। ନିକଟସ୍ଥ ଏସ୍‌ବିଆଇ, ଆଇସିଆଇସିଆଇ, ଏଚ୍‌ଡିଏଫ୍‌ସି ଏବଂ ଆକ୍ସିସ ବ୍ୟାଙ୍କ ସମେତ ୨୨ଟି ବ୍ୟାଙ୍କ ଶାଖାରୁ ଫାଷ୍ଟାଗ୍‌ ଚିପ୍‌ ମିଳିପାରିବ। ୧୦୦ ଟଙ୍କା ଦେଇ ଫାଷ୍ଟାଗ୍‌ କ୍ରୟ କରାଯାଇପାରିବ।

Advertisement