Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ରଥଖଳାରେ ଆରମ୍ଭ ହୋଇଛି ଭୂଇଁ ଖଞ୍ଜା କାମ

ରଥଖଳାରେ ଆରମ୍ଭ ହୋଇଛି ଭୂଇଁ ଖଞ୍ଜା କାମ

385
ADVERTISEMENT

ପୁରୀ, ୨୩/୬(ଡ଼ିଏଚବି): ଚାଲିଛି ରଥକାମ। ଗତକାଲି ସୁଦ୍ଧା ତିନିରଥର ଯୋଖା କାମ ସରିଛି। ଦଣ୍ଡା, ଅଖ ଓ ଗୟଳକୁ ଯୋଖା ଧରି ରଖିଥାଏ। ଅନ୍ୟପଟେ ଶନିବାରଠାରୁ ପ୍ରଥମ ଭୂଇଁ ଖଞ୍ଜା କାମ ଆରମ୍ଭ ହୋଇଛି। ପ୍ରଥମ ଭୂଇଁରେ ୪ଟି ଚଉତା ଏବଂ ୨ଟି ଓରା ମୋଟ ୬ଟି କାଠକୁ ଖଞ୍ଜାଯାଇଥାଏ। ଚଉତାରେ ବିନ୍ଧ କାମ ସରିଛି। ଏହି ବିନ୍ଧରେ ୧୬ଟି ପାଖୁଡ଼ା ଲାଗିଥାଏ। ୧୪ ନାହାକା କାଠ ହଣା ଚାଲିଛି। ବର୍ତ୍ତମାନ ସୁଦ୍ଧା ତିନିରଥର ୬ଟି ଲେଖାଏଁ ନାହାକା କାମ ଶେଷ ହୋଇଛି। ସେହିପରି ତାଳଧ୍ୱଜ ରଥର ଶୋଧ କାମ ସରିଛି। ରଥର ବାହାରକୁ ବାହାରିଥିବା ବଳକା ଅଂଶ କଟାଯିବାକୁ ଶୋଧ ବୋଲି କୁହାଯାଏ।

ନନ୍ଦିଘୋଷ ଓ ଦର୍ପଦଳନ ରଥର ରବିବାର ଶୋଧ କରାଯିବ ବୋଲି ମହାରଣା ସେବକ ନାରାୟଣ ମହାରଣା କହିଛନ୍ତି। ତିନିରଥର ୨୦ଫୁଟିଆ ଧଉରା ଚାର ପରଛା କାଠ ପ୍ରସ୍ତୁତି ସରିିଛି। ଏଥିରେ ଘୋଡ଼ା ଲାଗିଥାଏ। ତାଳଧ୍ୱଜ ରଥର ରୂପକାର ପଞ୍ଚାନନ ମହାପାତ୍ର କହିଛନ୍ତି, ରଥରେ ପଟାଗୁଜ ଚାଲିଛି। ପଟାଗୁଜରେ ନର ବିରାଳ, ସିଂହ ବିରାଳ ଓ ଗଜ ବିରାଳ କରାଯାଏ। ପ୍ରଥମେ ଖଡ଼ିରେ ଗାରେଇ ସେଥିରେ ଖୋଦେଇ କରାଯାଏ। ନାଟଗୋଡ଼ ଓ ସିଂହାସନ କାମ ମଧ୍ୟ ଜାରି ରହିଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଚିତ୍ରକାର ସେବକ ପାର୍ଶ୍ୱଦେବଦେବୀଙ୍କ ଚିତ୍ର ଅଙ୍କନ କରୁଛନ୍ତି। ତାଳଧ୍ୱଜ ରଥର କମାର ସେବକ ଜଗନ୍ନାଥ ମହାରଣା କହିଛନ୍ତି, ତାଗ କଣ୍ଟା ତିଆରି ଚାଲିଛି। ଏହାର ଲମ୍ବ ୬ରୁ ୭ ଇଞ୍ଚ ହେଉଥିବା ବେଳେ ପ୍ରତି ରଥ ଲାଗି ୨୦୮ଟି କଣ୍ଟା ଆବଶ୍ୟକ ହୋଇଥାଏ।

Advertisement