ମୁମ୍ବାଇ,୬/୧୨(ଡି.ଏଚ) : ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାର ସପ୍ତାହେ ନ ପୁରୁଣୁ ଦଳରେ ବିଦ୍ରୋହ ପରିଲକ୍ଷିତ ହୋଇଛି। ବିଜେପିକୁ ଛାଡ଼ି କଂଗ୍ରେସ ଓ ଏନସିପି ସହ ମିଶି ଶିବସେନାର ସରକାର ଗଠନକୁ ଅନେକ ଶିବସେନା ସଦସ୍ୟ ନାପସନ୍ଦ କରିଛନ୍ତି । ପ୍ରଥମ ଦିନରୁ ହିଁ ଏଭଳି ବିରୋଧାଭାସ ଦେଖିବାକୁ ମିଳିଥିଲା । ହେଲେ ୪୦୦ ଶିବସେନା ସଦସ୍ୟ ଦଳ ଛାଡି ବିଜେପିରେ ସାମିଲ ହେବା ପରେ ଏହା ସ୍ପଷ୍ଟ ହୋଇଛି । ଏହା ଦଳକୁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଧାରଭି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୪୦୦ ଶିବସେନା ସଦସ୍ୟ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଶିବସେନା ଛାଡ଼ିଥିବା ଏହି ଶିବସେନା ସଦସ୍ୟ ମାନେ କହିଛନ୍ତି ଯେ, ଶିବସେନା ସରକାର ଗଠନ ପାଇଁ ହିନ୍ଦୁ ବିରୋଧୀ ଏବଂ ଭ୍ରଷ୍ଟାଚାରରେ ଜଡ଼ିତ ଦଳ ସହ ହାତ ମିଳାଇଛି , ଯାହାକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି। ଯେଉଁମାନଙ୍କୁ ଶିବସେନା ବିରୋଧ କରିଆସିଥିଲା, ଏବେ ସେମାନଙ୍କ ସହ ମିଶି ସରକାର ଗଢ଼ିଥିବା ହେତୁ ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ବି ସେମାନେ କହିଛନ୍ତି।



















