ଭୁବନେଶ୍ୱର,୨୬।୧୧(ଡି.ଏଚ) : ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବିଲି ସମାରୋହର ସୋମବାର ଥିଲା ତୃତୀୟ ଦିବସ। ରବିବାର ଆଲୁମ୍ନି ମିଟ୍ ପରେ ସୋମବାର ତୃତୀୟ ଦିବସରେ ଏକତ୍ର ହୋଇଥିଲେ ଅଭିଭାବକ, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ। ଏହି ଅଭିଭାବକ ସମ୍ମିଳନୀରେ ସକାଳୁ ସକାଳୁ ଅଭିଭାବକଙ୍କ ଆଗମନ ଆରମ୍ଭ ହୋଇଯାଇଥିଲା । ବିଶ୍ୱବିଦ୍ୟାଳୟରେ ଅଭିଭାବକଙ୍କୁ ଦେଖି ଛାତ୍ରୀଛାତ୍ରମାନଙ୍କ ମନରେ ଖୁସିର ଲହରି ଖେଳି ଯାଇଥିଲା। ସେମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ଆସିଥାନ୍ତି। ପୂର୍ବରୁ ବିଶ୍ୱବିଦ୍ୟାଳୟ ନାମ ଶୁଣିଥିବା ବେଳେ ନିଜ ପିଲାଙ୍କ ପାଇଁ ବିଶ୍ୱବିଦ୍ୟାଳୟକୁ ଦେଖିପାରିଛନ୍ତି ବୋଲି ଅଭିଭାବକମାନେ ଖୁସିବ୍ୟକ୍ତ କରିଛନ୍ତି।
ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ ପକ୍ଷରୁ ଅଭିଭାବକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପ୍ରଥମେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ମାତାପିତାଙ୍କୁ ସ୍ବାଗତ କରାଯିବା ସହିତ ଅଧ୍ୟାପିକା, ଅଧ୍ୟାପକମାନଙ୍କ ସହିତ ବାର୍ତ୍ତାଳାପ ତଥା ଭାବ ବିନିମୟର କାର୍ଯ୍ୟକ୍ରମ ହୋଇଥିଲା। ଏହାପରେ ଅଭିଭାବକ, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ନେଇ ହୋଇଥିଲା ମେଗା ମିଟ୍।


















