Monday, November 9, 2026
ADVERTISEMENT
Home ମୁଖ୍ୟ ଖବର ଗୃହ ରାଷ୍ଟ୍ରମନ୍ତ୍ରୀ : ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି

ଗୃହ ରାଷ୍ଟ୍ରମନ୍ତ୍ରୀ : ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି

254
ADVERTISEMENT

ଭୁବନେଶ୍ୱର,୧୫-୧୧(ଡି.ଏଚ) : ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳ ଆତ୍ମହତ୍ୟା କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏଭଳି ନିଷ୍କର୍ଷ ବାହାରିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୁରୁବାର ବିଧାନସଭାରେ ଏ କଥା କହିଛନ୍ତି। କଂଗ୍ରେସ ପକ୍ଷରୁ ଅଣାଯାଇଥିବା ମୁଲତବୀ ଆଲୋଚନାର ଜବାବରେ ମନ୍ତ୍ରୀ କହିଛନ୍ତି ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟରେ ଡାକ୍ତରୀ ଦଳ ମତାମତ ଦେଇଛନ୍ତି ଯେ ସ୍ମିତାରାଣୀଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ ହୋଇଛି। ୨୦୧୯ ଅକ୍ଟୋବର ୧୬ ତାରିଖରେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରାଙ୍କ ଗେଷ୍ଟ ହାଉସ୍‌ରେ ସ୍ମିତାରାଣୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତାଙ୍କ ବାପାଙ୍କ ଏତଲା ଉପରେ ଏକ ଅପମୃତ୍ୟୁ ମାମଲା ଧର୍ମଶାଳା ଥାନାରେ ରୁଜୁକରି ତଦନ୍ତ କରାଯାଇଛି। ତଦନ୍ତ ସମୟରେ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ମୃତଦେହର ପଞ୍ଚନାମା କରାଯାଇଛି। ବ୍ୟବଚ୍ଛେଦ ବେଳେ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଚିତ୍ର ଉତ୍ତୋଳନ କରାଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଧର୍ମଶାଳା ଥାନାରେ ଆଇପିସି ଦଫା ୩୦୬ରେ ଏକ ମାମଲା (ନଂ.୧୮୧/୨୦୧୯) ରୁଜୁ କରାଯାଇ ତଦନ୍ତ କରାଯାଇଛି। ତଦନ୍ତ ପରେ ରୂପେଶ ଭଦ୍ରାଙ୍କୁ ଅକ୍ଟୋବର ୧୯ ତାରିଖରେ ଦଫା ୩୦୬(ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଜେଲରେ ଅଛନ୍ତି, ଅନୁସନ୍ଧାନ ଚାଲୁ ରହିଛି। ସରକାର ଦୋଷୀଙ୍କୁ କେବେ ଛାଡ଼ିନାହାନ୍ତି। ନାରୀମାନଙ୍କ ସୁରକ୍ଷା ପ୍ରତି ସରକାର ସବୁବେଳେ ସମ୍ବେଦନଶୀଳ। ସରକାରଙ୍କୁ ଏହି ମାମଲାରେ ସମାଲୋଚନା କରିବା ଆଦୌ ଠିକ୍‌ ନୁହେଁ ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଦଳର ସଦସ୍ୟମାନେ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲିଯାଇଥିଲେ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିିବିଆଇ କିମ୍ବା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଗଠନ କରିବାକୁ ଦାବି କରିଛୁ। ମାତ୍ର ମନ୍ତ୍ରୀ ଏ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଦଳର ସମସ୍ତ ବିଧାୟକ ବିଧାନସଭା ବାହାରକୁ ଚାଲିଯାଇଥିଲେ।

Advertisement