ସରକାରୀ ସ୍କୁଲ ବନ୍ଦକୁ ବିରୋଧ

228
ADVERTISEMENT

ବ୍ରହ୍ମପୁର, ୧୮/୬(ଗୁମରଫ ବ୍ୟୁରୋ)– ଚଳିତ ବର୍ଷ ଗଞ୍ଜାମ ଜିଲାର ୪୭ଟି ସରକାରୀ ସ୍କୁଲକୁ କମ୍‌ ଉପସ୍ଥାନ ଦର୍ଶାଇ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି । କିନ୍ତୁ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ସୋମବାର ଏହି ମଞ୍ଚ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରାଯାଇଥିଲା। ଅଭିଯୋଗ ଯେ , ପ୍ରତି ବର୍ଷ କମ୍‌ ଉପସ୍ଥାନ ଦର୍ଶାଇ ସରକାରୀ ସ୍କୁଲଗୁଡ଼ିକୁ ବନ୍ଦକରି ଦିଆଯାଉଛି। ଶିକ୍ଷାର ମାନ ବଢ଼ାଇବା ବଦଳରେ ବନ୍ଦ କରିଦେବା ନିନ୍ଦନୀୟ । ଗରିବ ପିଲାମାନେ ଘରୋଇ ସ୍କୁଲଗୁଡ଼ିକରେ ପାଠ ପଢ଼ିପାରୁ ନାହାନ୍ତି ।ଏଭଳି ସ୍ଥଳେ ସରକାରୀ ସ୍କୁଲ ହିଁ ଏକମାତ୍ର ଭରସା । ଯଦି ଗୋଟିଏ ପରେ ଗୋଟିଏ ସ୍କୁଲକୁ ବନ୍ଦକରି ଦିଆଯିବ, ତେବେ ଗରିବ ପିଲାମାନେ ପଢ଼ିବେ କେଉଁଠି । ସରକାରୀ ଅଧିକାରୀଙ୍କ ପିଲାମାନେ ସରକାରୀ ସ୍କୁଲରେ ପଢ଼ିଲେ ହିଁ ଏହି ସମସ୍ୟା ଦୂର ହୋଇପାରିବ । ଶିକ୍ଷା ଅଧିକାର ଆଇନ୍‌-୨୦୦୯ର କାର୍ଯ୍ୟକାରିତା, କେ.ସି. ହାଇସ୍କୁଲ, କେ.ସି. ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ କେ.ସି. ଟାଉନ୍‌ ହାଇସ୍କୁଲକୁ ସରକାର ନିଜ ଅଧୀନକୁ ନେବା ଏବଂ ଘରୋଇ ସ୍କୁଲଗୁଡ଼ିକ ପବ୍ଲିକ ସ୍କୁଲ ନ ଲେଖିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ମଞ୍ଚ ସାଧାରଣ ସମ୍ପାଦକ ମାଗୁଣି ନାହାକ, ଅବନୀ କୁମାର ଗୟା, ମନୋଜ କୁମାର ତରାଇ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଶିବ ସୁନ୍ଦର ରଥ, ମହେଶ୍ୱର ବାଡ଼ତ୍ୟା, ସତ୍ୟନାରାୟଣ ରାଓ ଏବଂ ଲକ୍ଷ୍ମୀନାରାୟଣ ରାଉତ ପ୍ରମୁଖ ଏଥିରେ ଭାଗନେଇଥିଲେ ।

Advertisement