ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି; ଆଜି ୧୦୮ଗରା ଜଳରେ କରିବେ ସ୍ନାନ

ସନ୍ଧ୍ୟାରେ ପଡିବେ ହାତୀବେଶ

329
ADVERTISEMENT

ପୁରୀ, ୧୭/୬(ଡି.ଏଚ.ବି): ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ । ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ହେଉଛି ପବିତ୍ର ସ୍ନାନଯାତ୍ରା । ମଙ୍ଗଳ ଆରତି ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଭାଇ ଶ୍ରୀ ବଳଭଦ୍ର, ସାନ ଭଉଣୀ ମାଁ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସହ ଧାଡ଼ିପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିରାଜମାନ କରିଛନ୍ତି । ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଇଲମ, ତଡ଼ପଲାଗି ଓ ଅଧରପୋଛା ନୀତି ହେବ । ଏହାପରେ ମନ୍ଦିର ପରିସରରେ ଥିବା ସ୍ୱର୍ଣ୍ଣକୂପରୁ ୧୦୮ଗରା ସୁବାସିତ ଜଳ ଆଣି ଶ୍ରୀଜିଉମାନଙ୍କ ମହାସ୍ନାନ କରାଯିବ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ୩୫ଗରା, ପ୍ରଭୁ ଶ୍ରୀ ବଳଭଦ୍ର ୩୩ଗରା, ଦେବୀ ମାଁ ସୁଭଦ୍ରା ୨୨ଗରା ତଥା ମହାପ୍ରଭୁଙ୍କ ଆୟୁଧ ଶ୍ରୀ ସୁଦର୍ଶନ ୧୮ଗରା ଜଳରେ ମହାସ୍ନାନ କରିବେ । ଏହାପରେ ଗଜପତି ମହାରାଜାଙ୍କ ଦ୍ୱାରା ଅନୁଷ୍ଠିତ ହେବ ଛେରାପହଁରା ।

ସ୍ନାନଯାତ୍ରା ଓ ଅନ୍ୟାନ୍ୟ ନୀତି ସରିବାପରେ ଠାକୁରମାନଙ୍କୁ ସୁନ୍ଦର ଗଜାନନବେଶରେ ସଜ୍ଜିତ କରାଯିବ । ଦର୍ଶନ କରିବାକୁ ଭକ୍ତମାନେ ଶ୍ରୀମନ୍ଦିର କୀର୍ତ୍ତନ ଚକଡ଼ା ଓ ଅଶ୍ୱଦ୍ୱାର ଦେଇ ସ୍ନାନମଣ୍ଡପକୁ ଆସିବେ ଓ ତୃତୀୟ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ମହାପ୍ରଭୁ ଭକ୍ତଙ୍କୁ ଏହି ହାତୀବେଶରେ ଦର୍ଶନ ଦେବେ । ରାତି ସାଢ଼େ ୭ଟାରୁ ସାଢ଼େ ୯ଟା ମଧ୍ୟରେ ଶ୍ରଦ୍ଧାଳୁମାନେ ସାହାଣମେଲା ଦର୍ଶନ କରିପାରିବେ । ତେବେ, ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Advertisement