Tuesday, September 8, 2026
ADVERTISEMENT
Home ମୁଖ୍ୟ ଖବର ରଥଖଳାରେ ତିନି ରଥର ଉଠିଲା ଦଣ୍ଡା

ରଥଖଳାରେ ତିନି ରଥର ଉଠିଲା ଦଣ୍ଡା

329
ADVERTISEMENT

ପୁରୀ, ୧୬/୬(ଡ଼ି.ଏଚ.ବି): ରଥଯାତ୍ରା ଆଉ କିଛିଦିନ ବାକିଥିବା ବେଳେ ଏଥିପାଇଁ ଭୋଇ ସେବକ, ମହାରଣା ସେବକ, ଚିତ୍ରକର ସେବକ, ଦର୍ଜୀ ସେବକ ତଥା ଓଝା ସେବକମାନେ ଦିନରାତି ଏକ କରି ଦେଇଛନ୍ତି। ପର୍ଯ୍ୟାୟକ୍ରମେ ରଥକାମ ଆଗେଇ ଚାଲିଥିବା ବେଳେ ଆଜି ରଥଖଳାରେ ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନର ଦଣ୍ଡା ଉଠିଛି। ଚକ ଓ ଅଖ ସଂଯୋଗ ପରେ ଡେରା ହୋଇଥିବା ଚକା ଉପରକୁ ଦଣ୍ଡା ଉଠାଯାଇଛି। ମୋଡ଼ା ପଡ଼ିବା(ଖୋପ ହେବା) ପରେ ଗୁଜ, ଜଳଯନ୍ତ୍ର ଆଦି ସଂଯୋଗ କରାଯାଇଛି। ପରେ ଆଗିଆଣି ଓ ପଛିଆଣି ନିରାଡ଼ି ସଂଯୋଗ କରାଯାଇଛି। ଗୁଣ୍ଠି ଲାଗିବା ପରେ ଓଝା ସେବକମାନେ ଆଜିଠାରୁ ଖଡ଼ିମୁହଁ କଣ୍ଟା ଅନୁକୂଳ କରିଛନ୍ତି।

ସେପଟେ ପୋଖରିଆ କଣ୍ଟା ବି ଆଜିଠାରୁ ବାଡ଼ିଆ ହୋଇଛି। ଏ ନେଇ ଦୋଳବେଦି କମାରଶାଳ ଚଳଚଞ୍ଚଳ ହୋଇ ଉଠିଛି। ରଥଖଳା ବି ଚଳଚଞ୍ଚଳ ରହିଛି। ସେପଟେ ଚିତ୍ରକର ସେବକମାନେ ପଟାଗୁଜ ଓ ଅନ୍ୟାନ୍ୟ କାମକୁ ଆଗେଇ ନେଇଛନ୍ତି। ଆସନ୍ତାକାଲି, ତିନି ରଥର ଗରଗରା ଉଠିବା କାର୍ଯ୍ୟକ୍ରମ ରହିଛି। ସେପଟେ ମହାରଣା ସେବକମାନେ ଚାରିନାହାକା କାମକୁ ଜୋରସୋରରେ ଆଗେଇ ନେଇଛନ୍ତି। ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା ସୁଦ୍ଧା ଚାରିନାହାକା କାମ ସରିବାର ପରମ୍ପରା ରହିଥିବାରୁ ଏହାକୁ ମହାରଣା ସେବକମାନେ ଶେଷପର୍ଯ୍ୟାୟରେ ପହଞ୍ଚାଇଛନ୍ତି।

Advertisement