ବାରିପଦା,୫।୧୦(ଡି .ଏଚ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ହାଣଦା ଗ୍ରାମରେ ଶନିବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି l ଗ୍ରାମର ଚିତ୍ତରଞ୍ଜନ ମୁଣ୍ଡାଙ୍କ ସ୍ତ୍ରୀ ତୁଳସୀ ମୁଣ୍ଡା ପ୍ରସବ ବେଦନା ହେବାରୁ ପରିବାରଲୋକେ ତାଙ୍କୁ ପ୍ରଥମେ ବାଙ୍ଗିରିପୋଷିସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଦର୍ଶାଇ ଡାକ୍ତର ତୁଳସୀଙ୍କୁ ବାରିପଦାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ଦୁର୍ଭାଗ୍ୟବଶତଃ ଅଧାରାସ୍ତାରେ ଆମ୍ବୁଲାନ୍ସର ତେଲଟାଙ୍କିରୁ ତେଲ ସରିଯିବା ଫଳରେ ତୁଳସୀ ସେଠାରେ ପାଖାପାଖି ଦୁଇଘଣ୍ଟା ଧରି ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଅନ୍ୟ ଏକ ଆମ୍ବୁଲାନ୍ସରେ ତୁଳସୀଙ୍କୁ ନେଇ ବାରିପଦା ଆସିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।


















