ମହିଳାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଯୁବକ ଗିରଫ

158
ADVERTISEMENT

ହିଞ୍ଜିଳିକାଟୁ, ୧୪/୬(ଶେଷଦେବ ସାହୁ): କୋର୍ଟରୁ କେସ ଉଠାଇବା ପାଇଁ ଚାପ ପ୍ରୟୋଗ କରିବା ସହ ହତ୍ୟା ଧମକ ଦେବା ଅଭିଯୋଗରେ ହିଞ୍ଜିଳି ଥାନା ପୁଲିସ ଜୈନିକ ଯୁବକଙ୍କୁ ଶୁକ୍ରବାର ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ହିଞ୍ଜିଳି ଥାନା ସିକିରି ଗ୍ରାମର ପ୍ରିତି ସୁନ୍ଦର ପ୍ରଧାନ । ଏ ନେଇ ନଂ- ୧୩୮/୧୯ ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ପ୍ରକାଶ ଯେ, ହିଞ୍ଜିଳି ଥାନା ରାଳବ ଗ୍ରାମର ଉପେନ୍ଦ୍ର ବରଡ଼ଙ୍କ ଝିଅ ବନିତା କୁମାରୀ ବରଡ଼(୨୨) ଗତ ୨୦୧୬ ମସିହାରେ ଶିକ୍ଷକତା କରିବା ସକାଶେ ଯାମୁନୀ ଗ୍ରାମ ଶିଶୁ ମନ୍ଦିରକୁ ଯିବା ସମୟରେ ଶିକିରି ଗ୍ରାମର ପ୍ରିତି ସୁନ୍ଦର ତାଙ୍କୁ ପିଛା କରୁଥିଲେ । ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଦୁହେଁ ବିବାହ କରିବାକୁ ସ୍ଥିର କରି ଘରୁ ଲୁଚି ଫେରାର ହୋଇଯାଇଥିଲେ । ଗତ ୦୧.୦୯.୨୦୧୬ ତାରିଖରେ ଦୁହେଁ ଫୁଲବାଣୀ ଯାଇ ଜୈନିକ ଆଇନଜୀବୀଙ୍କ ସହାୟତାରେ ନୋଟାରୀ ନିକଟରେ ରେଜିଷ୍ଟ୍ରି ବିବାହ କରି ଏକ ହୋଟେଲରେ ରହିଥିଲେ । ଗତ ୦୨.୧୦.୨୦୧୭ରେ ଗର୍ଭ ରହିଥିବା ଜାଣିପାରି ବନିତା, ପ୍ରିତି ସୁନ୍ଦରଙ୍କୁ ଶ୍ୱଶୁର ଘରକୁ ନେବାକୁ ବାଧ୍ୟ କରିବାରୁ ସେ ଔଷଧ ଦେଇ ଜୋରଜବରଦସ୍ତ ଅବୈଧ ଗର୍ଭପାତ କରାଇଥିଲେ । ପରବର୍ତ୍ତୀ ସମୟରେ ବ୍ରହ୍ମପୁର ସହରରେ ଚାଲିଥିବା ପ୍ରିତିସୁନ୍ଦରଙ୍କ କମ୍ପ୍ୟୁଟର ସର୍ଚ୍ଚୱାର୍କ ପାଇଁ ଅର୍ଥର ଆବଶ୍ୟକତା ଥିବା ଯୋଗୁଁ ପ୍ରିତିସୁନ୍ଦରଙ୍କୁ, ବନିତା ୧ଲକ୍ଷ ୨୦ହଜାର ଟଙ୍କା ଦେଇଥିଲେ । ଗତ ୦୫.୦୪.୨୦୧୮ରେ ଦୁହେଁ ଗୋପାଳପୁରର ଏକ ହୋଟେଲରେ ରହିବା ପରେ ଯୌତୁକ ବାବଦରେ ଅଧିକ ୩ଲକ୍ଷ ଟଙ୍କା ବାପା ଘରୁ ଆଣିବାକୁ ପ୍ରିତିସୁନ୍ଦର, ବନିତାକୁ ବାଧ୍ୟ କରିଥିଲେ । ଶ୍ୱଶୁର ଘରକୁ ନେଇ ତାଙ୍କୁ ବୋହୁର ମର୍ଯ୍ୟଦା ଦେଲେ ଅଧିକ ଯୌତୁକ ଦେବାକୁ ବନିତା ରାଜି ହୋଇଥିଲେ । ଏହାପରେ ପ୍ରିତିସୁନ୍ଦର, ବନିତାକୁ ନେଇ ଭୂବନେଶ୍ୱରର ଏକ ରୁମରେ ରଖି ମାଡ଼ ମାରିବା ସହ ବାହନା କରି କୌଶଳକ୍ରମେ ଫେରିଆସିଥିଲେ । ୩ଦିନ ଧରି ଯୁବକ ଜଣକ ନଫେରିବାରୁ ବନିତା ଗ୍ରାମକୁ ଫେରିଆସି ଗାମର କୁଳ ସମାଜକୁ ଜଣାଇଥିଲେ । ଗତ ୨୦.୦୫.୨୦୧୮ ତାରିଖରେ ଶିକିରି ନିକଟସ୍ଥ କୁରେଈଶୁଣୀ ମନ୍ଦିର ପ୍ରାଙ୍ଗଣରେ କୁଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ, କୁଳ ସମାଜକୁ ବେଖାତିର କରିବାସହ କୋର୍ଟରେ ବିଚାରଣା ହେବ ବୋଲି ଯୁବକ ପ୍ରିତିସୁନ୍ଦରଙ୍କ ପିତା କହିବାସହ ଏହାକୁ ବିରୋଧ କଲେ ହତ୍ୟା କରିବାର ଧମକ ଦେଇଥିଲେ । ଏ ନେଇ ଗତ ୨୯.୦୫.୨୦୧୮ ତାରିଖରେ ବନିତା, ହିଞ୍ଜିଳିକାଟୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳିକାଟୁ ଥାନା ପୋଲିସ କେସ ନଂ- ୧୧୯/୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । କିନ୍ତୁ ଜେଲରୁ ବେଲରେ ଆସିବା ପରେ ଯୁବକଜଣକ ମହିଳାଙ୍କ ମୋବାଇଲକୁ ଅଶ୍ଳୀଳ ମେସେଜ ପଠାଇବା ସହ କୋର୍ଟରୁ କେସ ଉଠାଇବା ପାଇଁ ଧମକ ଦେଇ ଆସୁଥିଲେ । ଏପରିକି ମହିଳାଙ୍କ ସହ ଅନୈତିକ ସମ୍ପର୍କର ଫଟୋକୁ ଭାଇରାଲ କରିବା ପାଇଁ ଧମକ ଦେବା ସହ କୋର୍ଟରୁ କେସ ନଉଠାଇଲେ ହତ୍ୟା ଧମକ ଦେଇଥିଲେ ବୋଲି ମହିଳା ଜଣକ ହିଂଜିଳି ଥାନରେ ଲିଖିତ ଅଭିଯୋଗ କରିଛନ୍ତି ।

Advertisement