ବ୍ରହ୍ମପୁରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ; ଆନ୍ଦୋଳନ ଡାକରା

270
ADVERTISEMENT

ବ୍ରହ୍ମପୁର,o୩/o୯(ଇ.ରଞ୍ଜନ ) : ଫୋରମ୍‌ ଫର୍‌ ଗଞ୍ଜାମର ଏକ ସାଧାରଣ ବୈଠକ ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ସଂଯୋଜକ ସୁଧୀର କୁମାର ରାଉତ ଏଥିରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଜିଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷକରି ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଯୋଗୁ ଆଗାମୀ ଦିନରେ ଏହା ବିରୋଧରେ ଆନ୍ଦୋଳନ ପାଇଁ ଆଲୋଚନା ହୋଇଥିଲା। ମେଡ଼ିକାଲ ଏବଂ ସିଟି ହସ୍‌ପିଟାଲ୍‌ରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉଭୟ ଚିକିତ୍ସାଳୟରେ ସିଟି ସ୍କାନର ଅଭାବ, ଡାଏଲିସିସ୍‌, ଅଲ୍‌ଟ୍ରାସାଉଣ୍ଡ, ଡିଜିଟାଲ୍‌ ଏକ୍ସ-ରେ, ନିରାମୟ ଯୋଜନାରେ ଔଷଧ ଆଦି ସୁବିଧା ଦେବାରେ ସରକାରଙ୍କ ବିଫଳତାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ଏ ସମ୍ପର୍କରେ ବହୁଥର ଅଧ୍ୟକ୍ଷ, ପରିଚାଳକ, ଜିଲାପାଳ, ମୁଖ୍ୟଶାସନ ସଚିବ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ । ଅନ୍ୟପଟେ ସ୍ବାସ୍ଥ୍ୟ ସେବା ନ ପାଇ ଲୋକମାନେ କଟକ, ଭୁବନେଶ୍ୱର, ବିଶାଖାପାଟଣାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଆଗାମୀ ଦିନରେ ପୁଣି ଥରେ ପ୍ରଶାସକଙ୍କୁ ସାକ୍ଷାତ କରି ମେଡ଼ିକାଲ୍‌ ସମସ୍ୟା ସମ୍ପର୍କରେ ଅବଗତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆଇଜର୍‌ର ଭିତ୍ତିଭୂମି ଏବଂ ନିର୍ମାଣ ପାଇଁ ସରକାର ଟଙ୍କା ଯୋଗାଇ ଦେଇଛନ୍ତି। ହେଲେ ପରିବେଶ ମଞ୍ଜୁରୀ ମିଳୁନି। ଫଳରେ ନିର୍ମାଣ କାର୍ଯ୍ୟ ମାନ୍ଦା ପଡ଼ିଯାଇଛି । ଏଣୁ ସରକାରଙ୍କ ଉପରେ ଚାପ ପକାଇବାକୁ ନିଷ୍ପତ୍ତି ନିଆଯାଇଥିଲା।

Advertisement