Thursday, September 24, 2026
ADVERTISEMENT
Home ମନୋରଞ୍ଜନ ଆଗାମୀ ଫିଲ୍ମ ‘ଓ୍ବାର’ରେ ହ୍ରିତିକ୍‌, ଟାଇଗର

ଆଗାମୀ ଫିଲ୍ମ ‘ଓ୍ବାର’ରେ ହ୍ରିତିକ୍‌, ଟାଇଗର

361
ADVERTISEMENT

ମୁମ୍ବାଇ,୩୧/୮(ଏଜେନସି) : ଆଗାମୀ ଫିଲ୍ମ ‘ଓ୍ବାର’ ପାଇଁ ବଲିଉଡ ଷ୍ଟାର ହ୍ରିତିକ୍‌ ରୋଶନ ଏବଂ ଟାଇଗର ଶ୍ରଫ୍‌ଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦୃଶ୍ୟ ବେଶ୍‌ ଆମୋଦଦାୟକ। ଏଥି ନିମନ୍ତେ ପର୍ତ୍ତୁଗାଲର ପୋର୍ଟୋ ନଗରୀକୁ ଦୁଇଦିନ ପାଇଁ ଜନସାଧାରଣଙ୍କ ଚଳାଚଳ ବନ୍ଦ କରିଦିଆଯାଇଥିଲା। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଫିଲ୍ମ ବିଶେଷକରି ଦୁଇ ବଲିଉଡ ନାୟକ ହ୍ରିତିକ ଏବଂ ଟାଇଗରଙ୍କ ଆକ୍ସନକୁ ନେଇ ଗତିଶୀଳ। ଏହାର ଶୁଟିଂ ପାଇଁ ପୋର୍ଟୋର ମୁଖ୍ୟ ସେତୁକୁ ବନ୍ଦ ରଖିବା ଲାଗି ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା। ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଥିଲେ ବୋଲି ନିର୍ଦ୍ଦେଶକ କହିଛନ୍ତି। ସ୍ଥାନୀୟ ଲୋକମାନେ ମଧ୍ୟ ଏଥିପାଇଁ ଖୁସି ପ୍ରକାଶ କରିଥିଲେ। କାରଣ ସେମାନେ ପୂର୍ବରୁ ତାଙ୍କ ସହରରେ ଜନସାଧାରଣଙ୍କ ଚଳାଚଳ ବନ୍ଦ କରାଯିବା ଦେଖି ନ ଥିଲେ। ତେବେ କେଉଁ ଫିଲ୍ମ ପାଇଁ ଏପରି ହେଉଛି ତାହା ଜାଣିବାକୁ ସେମାନେ ଉତ୍ସୁକ ହୋଇପଡିଥିଲେ। ଶୁଟିଂ ସମୟରେ ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ଥିଲା ଉତ୍ସାହଜନକ। ସେମାନେ ହ୍ରିତିକ ଓ ଟାଇଗରଙ୍କ ମୁହାଁମୁହିଁ ଲଢ଼େଇ ଦେଖି ସ୍ତବ୍‌ଧ ହୋଇଯାଇଥିଲେ। ଆକ୍ସନ ମାଷ୍ଟର ଏହି ଦୁଇ କଳାକାର ଲଢ଼େଇ ସମୟରେ ଯେଭଳି ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ ସେଭଳି ଦୃଶ୍ୟ ଦର୍ଶକଙ୍କୁ ଚମକାଇବା ଭଳି ହୋଇଥିଲା । ୟଶ ରାଜ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଅକ୍ଟୋବର ୨ରେ ରିଲିଜ୍‌ ହେବାର ସମ୍ଭାବନା ଅଛି।

Advertisement