ବ୍ରହ୍ମପୁର,୩୧/୮(ରାଜେଶ ରଣା ) :ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ପ୍ରକାଶ ପାଇବାର ୨୩ ଦିନ ପରେ ବି ଛାତ୍ରୀଛାତ୍ରଙ୍କ ପାଖରେ ସାର୍ଟିଫିକେଟ୍ ପହଞ୍ଚି ନାହିଁ । ସାର୍ଟିଫିକେଟ୍ରେ ମୁଦ୍ରଣରେ ସମସ୍ୟା ଯୋଗୁ ଏଭଳି ପରିସ୍ଥିତି ଦେଖାଦେଇଛି। ଅନ୍ୟପଟେ ମାଟ୍ରିକ ସାର୍ଟିଫିକେଟ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ଯୁକ୍ତ ୨ରେ ନାମ ଲେଖାଇ ପାରୁନାହାନ୍ତି । ଶୁକ୍ରବାର ଏବଂ ଶନିବାର ଦୁଇ ଦିନ ଧରି ଯୁକ୍ତ ୨ରେ ନାମଲେଖାଇବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ଶୁକ୍ରବାର ପ୍ରଥମ ଦିନରେ ଅଧିକାଂଶ କଲେଜରେ ନାମଲେଖା ହୋଇପାରି ନାହିଁ । ସାର୍ଟିଫିକେଟ୍ ନ ଥିବା ଯୋଗୁ ଛାତ୍ରୀଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ନାମ ଲେଖାଇବାକୁ ସୁଯୋଗ ଦେଇ ନ ଥିଲେ। ଏହାକୁ ନେଇ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମାଧ୍ୟମିକ ଶିକ୍ଷା ପରିଷଦର ଦାୟିତ୍ୱହୀନତାକୁ ନିନ୍ଦା କରାଯାଉଛି । ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଯାଇଛି । କୌଣସି କାରଣରୁ ପ୍ରଥମ ପ୍ରଯ୍ୟୟରେ ନାମ ଲେଖାଇବାରୁ ବଞ୍ଚିତ ଥିବା ଏବଂ ସପ୍ଲିମେଣ୍ଟାରୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ନାମଲେଖା ବର୍ତ୍ତମାନ ଚାଲିଛି । ଗତ ୧୩ ତାରିଖରେ ଅନ୍ଲାଇନ୍ରେ ଆବେଦନ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହୋଇଥିଲା। ଗୁରୁବାର ଯୋଗ୍ୟ ଛାତ୍ରୀଛାତ୍ରଙ୍କ ନାମ ପ୍ରକାଶ ପାଇଛି । ଏମାନେ ଶୁକ୍ରବାର ଏବଂ ଶନିବାର ଦୁଇ ଦିନ ପର୍ଯ୍ୟନ୍ତ ନାମ ଲେଖାଇବେ । ତେବେ ଏହି ପର୍ଯ୍ୟାୟରେ ନାମଲେଖାଇବା ପାଇଁ ଓରଜିନାଲ ସାର୍ଟିଫିକେଟ୍, ନାମଲେଖା ଫି’, ପାସ୍ପୋର୍ଟ ଫଟୋ, ସ୍କୁଲ ଲିଭିଙ୍ଗ୍ ସାର୍ଟିଫିକେଟ୍, କଣ୍ଡକ୍ଟ ସାର୍ଟିଫିକେଟ୍, ମାର୍କସିଟ୍ ଆଦି ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ସମସ୍ୟା ହେଲା, ଯେଉଁମାନେ ସପ୍ଲିମେଣ୍ଟାରୀ ପରୀକ୍ଷାରେ ପାସ୍ କରିଛନ୍ତି, ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା ଓରଜିନାଲ ସାର୍ଟିଫିକେଟ୍ ମିଳିନି । ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ରୀଛାତ୍ରମାନେ ନିଜ ନିଜ ସ୍କୁଲକୁ ସାର୍ଟିଫିକେଟ ପାଇଁ ଯାଇଥିଲେ । ହେଲେ ସାର୍ଟିଫିକେଟ୍ ପହଞ୍ଚି ନାହିଁ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଥିଲେ । ସେହିପରି ସାର୍ଟିଫିକେଟ୍ ନ ଥିବା ଯୋଗୁ ସ୍କୁଲ ଲିଭିଙ୍ଗ୍ ସାର୍ଟିଫିକେଟ୍ କିମ୍ବା କଣ୍ଡକ୍ଟ ସାର୍ଟିଫିକେଟ୍ ମଧ୍ୟ ଦେବାକୁ ସ୍କୁଲ କର୍ତ୍ତୃପକ୍ଷ ମନା କରିଦେଇଥିଲେ। ଯାହାକୁ ନେଇ ଛାତ୍ରୀଛାତ୍ରମାନେ ଚିନ୍ତିତ ହୋଇପଡ଼ିଥିଲେ ।ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟ, ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଛାତ୍ରୀଛାତ୍ରମାନେ ମଧ୍ୟ ଯୋଗାଯୋଗ କରାଯାଇଥିଲା । କିନ୍ତୁ ସେମାନଙ୍କ ପାଖକୁ ମଧ୍ୟ ସାର୍ଟିଫିକେଟ୍ ଆସିନି, କେବେ ଆସିବ ସେମାନେ ଜାଣିନାହାନ୍ତି ବୋଲି ଉତ୍ତର ମିଳିଥିଲା।
















