ନଦୀପଠା, ଗ୍ରାମ୍ୟ ରାସ୍ତା କଡେ଼ ମାଳମାଳ ଇଟାଭାଟି ୬ ମାଟିପୋଡ଼ା ଇଟାଭାଟିକୁ ସିଲ୍ କଲା ପ୍ରଶାସନ

303
ADVERTISEMENT

ହିଂଜିଳିକାଟୁ, ୧୯/୮(ଶେଷଦେବ ସାହୁ) : ହିଂଜିଳିକାଟୁ ତହସିଲ ଅଧିନ ଖରିଡ଼ା, ଆଲପୁର, ଚାନ୍ଦୁଲି, ବାଳକୃଷ୍ଣପୁର, ବେଲଗାଁ, ଗଣ୍ଡଳା, ଭାବନ୍ଦ, ଶିଖରପୁର ଭଳି ବିଭିନ୍ନ ଗ୍ରାମରେ ଛତୁ ଫୁଟିଲା ଭଳି ବେଆଇନ ମାଟି ପୋଡ଼ା ଇଟାଭାଟି ଦେଖିବାକୁ ମିଳୁଛି । ସବୁଠାରୁ ଉଦବେଗର ବିଷୟ ହେଲା ଏସମସ୍ତ ଇଟାଭାଟି ରାଜସ୍ୱ ନିୟମକୁ କୋଲାଖୋଲି ଉଲଙ୍ଘନ କରୁଛନ୍ତି । ରାଜସ୍ୱ ନିୟମ ଅନୁସାରେ ଜନବସତି, ନଦୀତଟ, ରାଜରାସ୍ତାଠୁ ୫ଶହ ମିଟର ଦୂର ଓ ଚାଷ ଜମିରେ ଇଟାଭାଟି ନିର୍ମାଣ ଉପରେ ନିଷେଧାଦେଶ ଜାରି କରାଯାଇଛି । କିନ୍ତୁ ହିଂଜିଳି ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ଏଭଳି ସ୍ଥାନରେ ହିଁ ଗଢି ଉଠିଛି ମାଟିପୋଡ଼ା ଇଟାଭାଟି । କେତେକ ଗ୍ରାମର ଜନବସତି ନିକଟରେ, ରାସ୍ତା କଡ଼ରେ ଓ ନଦୀ ତଟରେ ହିଁ ଇଟାଭାଟି ତିଆରି କରି ପ୍ରଶାସନକୁ ମାଲିକ ମାନେ ଖୋଲାଖୋଲି ଚ୍ୟାଲେଂଜ ଦେଉଛନ୍ତି । ଏଥିସହ ସେମାନଙ୍କ ପାଖରେ ପରିବେଶ ମଂଜୁରୀ ନଥିବା ବେଳେ ପଂଜିକରଣ ନିୟମକୁ ବି ମାନୁନାହାନ୍ତି । ସରକାରୀ ନିୟମାନୁସାରେ, ଏକ ହଜାର ଇଟା ପାଇଁ ରାଜସ୍ୱ ୧୦୫ ଟଙ୍କା, ଜଳକର ୩୦ ଟଙ୍କା, ସରଫେସ୍ ରେଂଟ ୩୬୦ ଟଙ୍କା ଓ ଶତକଡ଼ା ୨ ପ୍ରତିଶତ ଆୟକର ଜମା କରିବା ପାଇଁ ନିୟମ ରହିଛି । ଏଥିସହ ହେକ୍ଟର ପିଛା ପ୍ରତିବର୍ଷକୁ ଡେ଼ଟ ରେଂଟ ହିସାବରେ ବର୍ଷକୁ ୧୦ ହଜାର ୫ ଶହ ଟଙ୍କା ପ୍ରଦାନ କରିବା ସହ ପ୍ରଶାସନ ଓ ପ୍ରଦୂଷଣ ବୋଡର଼୍ର ସମସ୍ତ ନିୟମକୁ ଇଟାଭାଟି ମାଲିକ ମାନେ ମାନିବାକୁ ବାଧ୍ୟ ଅଟନ୍ତି । ଏ ନେଇ ଚଳିତ ମାସ ୨ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶନ ହୋଇଥିଲା । ଖବର ପ୍ରକାଶନ ପରେ ପ୍ରଶାସନର ଚେତା ପଶିଥିଲା । ଏଥିସହ ଗତ ଗଂଜାମ ଜିଲା ରାଜସ୍ୱ ସମୀକ୍ଷା ବୈଠକରେ ବେଆଇନ ଇଟାଭାଟି ହେତୁ ବ୍ୟାପକ ରାଜସ୍ୱ ହାନି ଘଟୁଥିବା ଆଲୋଚନା ହୋଇଥିଲା । ଏଥିସହ ଇଟାଭାଟି ଗୁଡ଼ିକ ପରିବେଶ ସମ୍ବନ୍ଧୀୟ କୌଣସି ନୀତି ନିୟମକୁ ମାନୁ ନ ଥିବା ଫଳରେ ବିଭିନ୍ନ ଅଂଚଳରେ ବ୍ୟାପକ ପରିବେଶ ସଂକ୍ରାନ୍ତୀୟ ଅଭିଯୋଗ ହେଉଛି । ଜିଲାର ବିଭିନ୍ନ ଅଂଚଳରେ ଗଢ଼ି ଉଠିଥିବା ଏହି ବେଆଇନ ଇଟାଭାଟି ଗୁଡ଼ିକୁ ବନ୍ଦ ପାଇଁ ଜିଲାପାଳ ନିଷ୍ପିତି ନେଇଥିଲେ । ଏହି କ୍ରମରେ ସୋମବାର ହିଂଜିଳିକାଟୁ ତହସିଲ ଅଂଚଳରେ ଗଢ଼ି ଉଠିଥିବା ବିଭିନ୍ନ ଚିମିନି ଇଟାଭାଟି ଗୁଡ଼ିକ ଉପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି । ଆଙ୍କୋରଡ଼ା, ଖରିଡ଼ା, ଚାନ୍ଦୁଲି, ଧୋବାଡ଼ି, ସାହାପୁର ଅଂଚଳର ୬ଟି ଇଟାଭାଟିରେ ପ୍ରଶାସନ ପକ୍ଷରୁ ଲାଲ ପତକା ଲଗାଯିବା ସହ ଉକ୍ତ ଅଂଚଳକୁ ନିଷିଦ୍ଧାଂଚଳ ଭାବେ ଘୋଷଣା କରାଯାଇଛି । ଏନଜିଟି, ପ୍ରଦୂଷଣ ବୋଡର଼୍ ଓ ଖଣି ବିଭାଗର ଅନୁମତି ନଥାଇ ଏହି ଇଟାଭାଟି ଗୁଡ଼ିକ ଗଢ଼ି ଉଠିଥିଲା । ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଉକ୍ତ ଇଟାଭାଟି ଗୁଡ଼ିକରୁ କୌଣସି ପ୍ରକାର ବିକ୍ରୀ ଓ ପ୍ରବେଶକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ନିୟମ ଅବମାନନା କଲେ କଠୋର ଦଣ୍ଡ ବିଧାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ କରାଯାଇଛି । ଚଢ଼ାଉରେ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ରଙ୍କ ନେତୃତ୍ୱରେ ଜିଲା ପ୍ରଦୂଷଣ ବୋଡର଼୍ର ସହକାରୀ ଯନ୍ତ୍ରୀ ମହେଶ୍ୱର ବେହେରା, ଜୁନିୟର ଆସିଷ୍ଟାଂଟ ସାଇଟିଂଷ୍ଟ ତ୍ରିଲୋଚନ ସେନାପତି ଶିକିରି ଆରଆଇ ସଂଜୟ ସାହୁ, ସାହାପୁର ଆରଆଇ ସ୍ୱପ୍ନେଶ୍ୱର ପାଳ,ଦିବାକର ପୂଜାରୀ, ଗୋପାଳ ରେଡ଼ି, ରାମକୃଷ୍ଣ ପାଣିଗ୍ରାହି,ଭାଗିରଥୀ ସାହୁ , ବି ମାଧବ ପ୍ରମୁଖ ଚଢ଼ାଉରେ ଭାଗ ନେଇଥିଲେ ।

Advertisement