ହିଂଜିଳିକାଟୁ, ୭/୮ (ଶେଷଦେବ ସାହୁ): ପାରିବାରିକ କଳହକୁ କେନ୍ଦ୍ର କରି ଜୈନିକ ଯୁବକ ହିଂଜିଳିକାଟୁ ଘୋଡ଼ାହାଡ଼ ସେତୁ ଉପରୁ ନଦୀକୁ ଡେ଼ଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣକ ଜଗନ୍ନାଥପ୍ରସାଦ ଅଂଚଳର ପିତବାସ ପ୍ରଧାନ (୪୨) ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ପ୍ରକାରେ , ଯୁବକ ଜଣକ ବୁଧବାର ସକାଳେ କୌଣସି କାରଣରୁ ପରିବାର ସଦସ୍ୟଙ୍କ ସହ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଯୁବକ ଜଣକ ପୋଲିସ ସମ୍ମୁଖରେ କହିଛନ୍ତି । ଯୁବକ ଜଣକ ବୁଧବାର ସକାଳେ ହିରୋ ମୋଟର ସାଇକେଲ (ଓଡ଼ି୦୭ଭି ୩୬୨୫) ଯୋଗେ ଘରୁ ହିଂଜିଳିକାଟୁ ଅଭିମୁଖେ ଆସିଥିଲେ । ହିଂଜିଳିକାଟୁ ଘୋଡ଼ାହାଡ଼ ସେତୁ ଉପରେ ନିଜର ବାଇକ ଓ ମୋବାଇଲକୁ ରଖି ହଠାତ ସେତୁ ଉପରୁ ନଦୀକୁ ଡେ଼ଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଉପସ୍ଥିତ କିଛି ବ୍ୟକ୍ତି ଘଟଣା ଦେଖିପାରି ହିଂଜିଳି ପୋଲିସ ଓ ଅଗ୍ନିଶମ ବାହୀନିଙ୍କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହୀନିର କର୍ମଚାରୀ ମାନେ ଘଟଣା ସ୍ଥଳରେ ପଂହଚି ନଦୀରେ ଭାସି ଯାଉଥିବା ଯୁବକଙ୍କୁ ପ୍ରାୟ ୨ କିମି ଦୁରରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଉଦ୍ଧାର ପରେ ଯୁବକଙ୍କୁ ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଖବର ପାଇ ଯୁବକଙ୍କ ପରିବାର ସଦସ୍ୟ ହିଂଜିଳିକାଟୁ ଡ଼ାକ୍ତରଖାନାରେ ପଂହଚିଥିଲେ ।