ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ଅନିୟମିତତା ;ପଦାରେ ପଡ଼ିଲା ନିମ୍ନ ମାନର ରାସ୍ତା ନିର୍ମାଣ

219
ADVERTISEMENT

ହିଂଜିଳିକାଟୁ,୪/୮ (ଶେଷଦେବ ସାହୁ): ୫ମ ପାଳିରେ ସରକାର ଗଠନ ପରେ ‘୫-ଟି’ କାର୍ଯ୍ୟକାରତା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ ପାଣ୍ଡିଆନଙ୍କୁ ‘୫-ଟି’ ବିଭାଗ ସଚିବ କରିଛନ୍ତି । ତେବେ, ମୁଖ୍ୟମନ୍ତ୍ରୀଙ୍କ ନିଜ ଗଡ଼ରେ ବିଭିନ୍ନ କାମରେ ଅନିୟମିତତା ସରକାରଙ୍କ ‘୫-ଟି’କୁ ବିରୋଧାଭାସ ଏବେ ଅଂଚଳରେ ଚର୍ଚ୍ଚା ପାଲଟିଛି । ପ୍ରଥମେ ବ୍ଳକ ପକ୍ଷରୁ ଚଳିତ ବର୍ଷ ନିର୍ମାଣ ହୋଇଥିବା ଗଣ୍ଡଳା ପଂଚାୟତର ପଳାସି ଗ୍ରାମରେ ସିସି ରୋଡ଼ ନିର୍ମାଣରେ ବ୍ୟାପକ ଅନିୟମିତତା ପଦାରେ ପଡ଼ିଥିଲା । ସିମେଂଟରୁ ଗୋଡ଼ି ପଦାକୁ ବାହାରି ପଡ଼ିଥିଲା । ହାଇୱାରେ ଚୋରାରେ ପଥର ଓ ଅନ୍ୟାନ୍ୟ ସାମଗ୍ରୀ ଗ୍ରାମ୍ୟ ରାସ୍ତାରେ ଚାଲାଣ ହେତୁ ରାସ୍ତା ଖରାପ ହୋଇଥିବା ବ୍ଲକ କର୍ତୃପକ୍ଷ ସ୍ପଷ୍ଟୀ କରଣ ଦେଇଥିଲେ । ଅନ୍ୟ ପକ୍ଷରେ ରାଳବ ପଂଚାୟତର ଦେଉଳ ସାହି ପ୍ରାଥମିକ ବିଦ୍ୟାଳୟକୁ ଯାଇଥିବା ଏକମାତ୍ର ରାସ୍ତା ବର୍ଷାରେ ଖରାପ ହେତୁ ସ୍କୁଲ ଯିବାରେ ଛାତ୍ରଛାତ୍ରୀଙ୍କ ଘୋର ସମସ୍ୟା ହେଉଥିଲେ ।୨୦୧୮-୧୯ରେ ଏଫଡ଼ିଆର ତିତିଲି ଯୋଜନାରେ ଉକ୍ତ ସ୍କୁଲ ରାସ୍ତା ମରାମତି କରାଯାଇଥିଲେ ମଧ୍ୟ ଏଥିରେ ଅନିୟମିତତା ଅଭିଯୋଗ ହୋଇଥିଲା । ଏସବୁ ଘଟଣାକୁ ସୋସିଆଲ ମିଡ଼ିଆରେ ପ୍ରଚାର ପରେ ଖୋଦ ରାଜ୍ୟ ମୁଖିଆଙ୍କ ଗଡ଼ରେ ‘୫-ଟି’ କାର୍ଯ୍ୟକାରିତା ନେଇ ସରକାରଙ୍କୁ ବିଭିନ୍ନ ସ୍ତରରେ ଟ୍ରୋଲର ଶିକାର ହେବାକୁ ପଡ଼ିଛି । ଗୁରୁବାର ଏପରି ଏକ ଘଟଣା ପୁଣିଥରେ ଖୋଦ ମୁଖମନ୍ତ୍ରୀଙ୍କ ଗଡ଼ରେ ରାସ୍ତା କାମର ସ୍ୱଚ୍ଛତା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହିଂଜିଳିକାଟୁ ପୂର୍ତ ବିଭାଗ ପକ୍ଷରୁ ସମରଝୋଳ – କଂଚୁରୁ ରାସ୍ତାର ୨କିମି ରାସ୍ତା ପାଇଁ ପ୍ରାୟ ୧କୋଟି ୬୦ଲକ୍ଷ ଟଙ୍କା ଅଟକଳ କାମରେ ବ୍ୟାପକ ମନମାନୀ ଓ ଅନିୟମିତତା ଅଭିଯୋଗ ହୋଇଛି । ୨କିମି ରାସ୍ତା ପ୍ରଶସ୍ତୀକରଣ, ରିଟେନିଂ ୱାଲ, ପିଚୁକାମ ସହ ରାସ୍ତାର ଦୁଇ ପାଶ୍ୱର୍ରେ ଫେଭର ବ୍ଲକ କାମ ରହିଛି । ତେବେ ଗୁରୁବାର ଦିନ ଏକ ଟ୍ରକର ଆଗ ଚକ କଂଚୁରୁ ଡ଼ାକ୍ତରଖାନା ସାମ୍ନାରେ ନିର୍ମାଣ ସରିଥିବା ଫେଭର ବ୍ଳକ ରାସ୍ତାରେ ଯିବା ବେଳେ ଏହାର ଏକ ଚକ ପ୍ରାୟ ୨ଫୁଟ ଗଭୀରକୁ ଗଳି ପଡ଼ିଥିଲା । ଫଳରେ ଟ୍ରକର ଚକ ପଦାକୁ ବାହାରି ପାରି ନଥିଲା । ଏହି ଘଟଣା ପରେ ଉକ୍ତ କାମର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ଉଠିଛି । ନିମ୍ନ ମାନର କାମ ପଦାରେ ପଡ଼ିବା ଭୟରେ ତରବରିଆ ଭାବେ ଟ୍ରକକୁ ହଟା ଯାଇଛି । ତେବେ ଉକ୍ତ ରାସ୍ତା କାମ ସଂମ୍ପୂର୍ଣ୍ଣ ହୋଇ ନାହିଁ । ଦବି ଯାଇଥିବା ଅଂଶକୁ ପୁଣି ଥରେ ନିର୍ମାଣ ପାଇଁ ଠିକାଦାରକୁ କୁହାଯାଇଛି ବୋଲି ସଫେଇ ଦେଇ କହିଛନ୍ତି ହିଂଜିଳିକାଟୁ ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ ଲଡ଼ୁ କିଶୋର ପଣ୍ଡା । ଅଂଚଳର ବିଭିନ୍ନ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଗୁଡ଼ିକରେ ବ୍ୟାପକ ଅନିୟମିତତା ପଦାରେ ପଡ଼ୁଛି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ‘୫-ଟି’ କାର୍ଯ୍ୟକାରିତା ନେଇ ସାଧାରଣରେ ଉଠିଛି ବିରାଟ ପ୍ରଶ୍ନ । କେବଳ ବିରୋଧୀ ନୁହନ୍ତି ନିଜ ଦଳର ନେତା ମାନେ ମଧ୍ୟ ବିଭିନ୍ନ କାମରେ ଅନିୟମିତତା ପ୍ରସଙ୍ଗ ଉଠାଇ ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଫଳରେ କାମରେ ଅନିୟମିତତା ହେଉଥିବା ଅଭିଯୋଗ କରୁଛନ୍ତି ।

Advertisement