ହିଂଜିଳିକାଟୁ, ୧ା୮ (ଶେଷଦେବ ସାହୁ): ସମ୍ପତି ଭାଗବଂଟାକୁ କେନ୍ଦ୍ରକରି ପରିବାର ମଧ୍ୟରେ ଘଟିଛି ମାରପିଟ୍ । ବଡ଼ଭାଇର ଶାବଳ ମାଡ଼ରେ ସାନଭାଇ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଗୁରୁବାର ପୂର୍ବାହ୍ନରେ ଗଂଜାମ ଜିଲ୍ଲା ହିଂଜିଳି ଥାନା କଂଟେଇକୋଳି ଗ୍ରାମରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ହିଂଜିଳି ଥାନା କଂଟେଇକୋଳି ଗ୍ରାମର ସ୍ୱର୍ଗତ ରାମମୂର୍ତିଙ୍କ ଦୁଇ ପୁଅଙ୍କ ମଧ୍ୟରେ ପିତାଙ୍କ ସମ୍ପତି ଭାଗବଂଟାକୁ କେନ୍ଦ୍ରକରି ଗୁରୁବାର ସକାଳେ କଳହ ଉପୁଜିଥିଲା । ସାମାନ୍ୟ କଥାକୁ କେନ୍ଦ୍ରକରି ଦୁହିଁ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ବଡ଼ଭାଇ କେ. ପ୍ରକାଶ ରାଓ ଉତେଜିତ ହୋଇ ଘର ମଧ୍ୟରେ ଥିବା ଏକ ଶାବଳ ସାହାର୍ଯ୍ୟରେ ସାନଭାଇ ଶ୍ରୀନିବାସ ରାଓଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସାନଭାଇ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ । ଉପସ୍ଥିତ କିଛି ବ୍ୟକ୍ତି ଶ୍ରୀନିବାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଂଜିଳିକାଟୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଖବର ପାଇ ହିଂଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବଡ଼ଭାଇ ପ୍ରକାଶଙ୍କୁ ଥାନାକୁ ଆଣି ଅଟକ ରଖିଛି । ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।