ବ୍ରହ୍ମପୁର୦୧/୦୮ ଏଜେନସି : ବ୍ରହ୍ମପୁରରେ ଆଜି ସଶସ୍ତ୍ର ଡକାୟତ ଗ୍ୟାଙ୍ଗ୍ ଏକ ସ୍ବର୍ଣ୍ଣ ଋଣସଂସ୍ଥାରେ ୨୦ ମନିଟ୍ ଧରି ଆତଙ୍କ ଖେଳାଇଛନ୍ତି। ଲକର୍ ପାସ୍ୱାର୍ଡ଼ ନମିଳିବାରୁ ଲୁଟ୍ କରିବାକୁ ସକ୍ଷମ ହୋଇପରି ନାହାନ୍ତି । କିନ୍ତୁ ଏହି ସଂସ୍ଥାର ୩ ଜଣ କର୍ମଚାରୀଙ୍କୁ ଲହୁଲୁହାଣ କରିଦେଇଛନ୍ତି। ଏହି ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଇଆଇଏଫ୍ଏଲ୍ ସ୍ବର୍ଣ୍ଣ ଋଣ ସଂସ୍ଥା ଲୋକଙ୍କ ଠାରୁ ସୁନା ଗହଣା ରଖି ଋଣ ପ୍ରଦାନ କରିଥାଏ। ପ୍ରତିଦିନ ଭଳି ଆଜି ମଧ୍ୟ ଠିକ୍ ୧୦ଟାବେଳେ ସଂସ୍ଥା କାର୍ଯ୍ୟାଳୟ ଖୋଲିଥିଲା। ଏହି ସମୟରେ ସଂସ୍ଥାର ଭାରପ୍ରାପ୍ତ ମ୍ୟାନେଜର ଶ୍ରୀଧର ଆଚାରୀ ଓ ଅନ୍ୟ ଦୁଇଜଣ କର୍ମଚାରୀ ମିହିର ପ୍ରଧାନ ଏବଂ ମୃତ୍ୟୁଞ୍ଜୟ ନାୟକ ଉପସ୍ଥିତ ଥିଲେ।ପ୍ରାୟ ୧୦ଟା ୨୦ରେ ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। ତନ୍ମଧ୍ୟରୁ ଜଣେ ଶ୍ରୀଧର ବସିଥିବା ଚାମ୍ବରକୁ ଯାଇ ପିସ୍ତଲ ଦେଖାଇ ଲକର୍ ଚାବି ମାଗିଥିଲା। ଅନ୍ୟ ୨ଜଣ ଦୁର୍ବୃତ୍ତ ମିହିର ଏବଂ ମୃତ୍ୟୁଞ୍ଜୟଙ୍କୁ ପିସ୍ତଲ ମୁନରେ କାବୁ କରି ନେଇଥିବାବେଳେ ଅନ୍ୟ ଜଣେ କାର୍ଯ୍ୟାଳୟ ପ୍ରବେଶ ପଥରେ ଜଗି ରହିଥିଲା। ଶ୍ରୀଧର ପ୍ରତିବାଦ କରିବାରୁ ଦୁର୍ବୃତ୍ତ ଜଣକ ପିସ୍ତଲର ବଟ୍ରେ ତାଙ୍କର ମୁହଁକୁ ଆକ୍ରମଣ କରିଥିଲେ ଓ ମିହିରଙ୍କୁ ମଧ୍ୟ ପିସ୍ତଲର ବଟ୍ରେ ଆକ୍ରମଣ କରିଥିଲା। ଏଥିରେ ଶ୍ରୀଧର ଓ ମିହିର ଆହତ ହୋଇଥିବାବେଳେ ପିସ୍ତଲର ଲକ୍ ଖୋଲି ତାଙ୍କର ସାର୍ଟ ପକେଟରେ ପଡ଼ି ଯାଇଥିଲା। ଯାହାକି ପୁଲିସ ଜବତ କରିଛି। ହିନ୍ଦୀ ଭାଷାରେ କଥା ହେଉଥିବା ଦୁର୍ବୃତ୍ତମାନେ ବେଶ୍ କିଛି ସମୟ ଧରି ସଂସ୍ଥା କାର୍ଯ୍ୟାଳୟ ପରିସରରେ ଆତଙ୍କରାଜ ସୃଷ୍ଟି କରିଥିଲେ। ଏପରିକି ଦୁର୍ବୃତ୍ତମାନେ ଶ୍ରୀଧର, ମିହିର ଓ ମୃତ୍ୟୁଞ୍ଜୟଙ୍କ ହାତବାନ୍ଧି ବାଥ୍ରୁମ୍ରେ ବନ୍ଦ କରି ଲକର୍ ଚାବି ହାସଲ କରିଥିଲେ। କିନ୍ତୁ ଲକର୍ ଖୋଲିବା ପାଇଁ ଏକ ସ୍ବତନ୍ତ୍ର ପାସୱାର୍ଡ ରହିଥିବାରୁ ଦୁର୍ବୃତ୍ତମାନେ ତାହା ଖୋଲି ପାରି ନଥିଲେ। ଏହି ସମୟରେ ଜଣେ ମହିଳା ସୁଇପର୍ ସେଠାରେ ପହଞ୍ଚିଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଧମକ୍ ଚମକ୍ ଦେଇ ଭୟଭୀତ କରିଥିଲେ। ଏହାପରେ, ୩ଜଣ କର୍ମଚାରୀଙ୍କ ଠାରୁ କିଛି ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ। ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଡକାୟତଙ୍କ ଟେର୍ ପାଇନଥିବା ଜଣାପଡ଼ିଛି।