
ବ୍ରହ୍ମପୁର,୦୧/୦୮ ଏଜେନସି : ଏଣିକି ବାହାରେ ପରିଶ୍ରା ବା ମଳତ୍ୟାଗ କଲେ ଜରିମାନା ଦେବାକୁ ପଡିବ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ଅଭିଯାନକୁ ଜୋରସୋରରେ ଆରମ୍ଭ କରାଯାଇଛି । ଜୁଲାଇ ମାସରେ ବାହାରେ ପରିଶ୍ରା କରୁଥିବାବେଳେ,୧୮ ଜଣଙ୍କୁ ଧରି ୧୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି । ସେହିପରି ବାହାରେ ମଳତ୍ୟାଗ କରୁଥିବାରୁ ୧୨ ଜଣଙ୍କୁ ଧରି ୫୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି । ଏଠାରେ ସୂଚନା ଥାଉ କି ୨୦୦୮ ମସିହାରେ ମହାନଗର ନିଗମର ମାନ୍ୟତା ପାଇଥିଲା ବ୍ରହ୍ମପୁର ମହାନଗର ନିଗମ । ତେବେ ସ୍ୱଚ୍ଛ ଭାରତ ମିଶନ ଅନୁସାରେ ବାହ୍ୟ ମଳମୂତ୍ର ତ୍ୟାଗ ମୁକ୍ତ ଅଞ୍ଚଳ ଭାବେ ମାନ୍ୟତା ପାଇଥିବାରୁ ଏବେ ଗୁରୁତ୍ୱର ସହ ଅଞ୍ଚଳକୁ ପରିଷ୍କାର ରଖିବା ପାଇଁ ଏଭଳି ବ୍ୟବସ୍ଥା ଆପଣାଯାଇଛି । ମହାନଗର ନିଗମ ଅଧୀନରେ ୪୦ଟି ୱାର୍ଡ ଥିବାବେଳେ ୭୭ଲକ୍ଷ ଟଙ୍କା ବ୍ୟୟରେ ୧୩ଟି ସ୍ଥାନରେ ୨୫ଟି ଶୌଚାଳୟ ସ୍ଥାପନ କରାଯାଇଛି । ସେହିପରି ୬୪ଟି ପବ୍ଲିକ ଟଏଲେଟ ମଧ୍ୟ ସ୍ଥାପନ କରାଯାଇଥିବାବେଳେ, ଯଦି ଜଣେ ବ୍ୟକ୍ତି ଟଏଲେଟ ବ୍ୟବହାର କରି ଏହାକୁ ସଫା ନ କରିବ ତେବେ ୧୦୦ ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯିବ ।