ପାରଳାଖେମୁଣ୍ଡି,୧୬/୭,(ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲାରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ସଦରମହକୁମା ପାରଳାଖେମୁଣ୍ଡି ସହରରେ ଗୋଷ୍ଠୀ ସଂକ୍ରମଣ ଦିଗକୁ ଗତି କରୁଛି କରୋନା। ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।ସଟଡାଉନ ଘୋଷଣା କରାଯାଇ ୫୬ ଟି ସର୍ଭିଲାନ୍ସ ଟିମ୍ ଘରଘର ବୁଲି ଥର୍ମାଲ ଟେଷ୍ଟ ସହ ଅକ୍ସିମିଟର ସାହାଯ୍ୟରେ ଟେଷ୍ଟ ମାଧ୍ୟମରେ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଏହା ସତ୍ତ୍ବେ ଜିଲ୍ଲାପାଳଙ୍କ ତତ୍ବାବଧାନରେ ସହରର ୧୬ଟି ୱାର୍ଡରେ ଫିଭର ସେଣ୍ଟର ଖୋଲାଯାଇଛି, ଆଶାକର୍ମୀ, ଅଙ୍ଗନୱାଡି, ସ୍ବାସ୍ଥ୍ୟକର୍ମୀଙ୍କ ୫ଜଣିଆ ଟିମ୍ ଜ୍ଵର କାଶ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବେ, ସକାଳ ୮ରୁ ୧୨ ଘଣ୍ଟା ଏହି କେନ୍ଦ୍ର ଖୋଲା ରହିବ, ୪ଜଣ ଡାକ୍ତର ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ଲକ୍ଷଣ ଜନିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବେ। ପରେ ସେମାନଙ୍କ ସ୍ବାବ ନେଇ କ୍ବାରଣ୍ଟାଇନରେ ରଖାଯିବ। ତୃଣମୂଳ ସ୍ତରରେ ଜିଲ୍ଲାପାଳ ଅନୁପମ ସାହାଙ୍କ ଏହି ନିଆରା ପଦକ୍ଷେପ ସଂକ୍ରମଣ ରୋକିବାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଇଛି।




















