ଏକମାସ ଧରି ଖୋଲିଲାଣି ସ୍କୁଲ ବ୍ୟାଗ ଓଜନ କଟକଣା ଲାଗୁ ହେବ କେବେ … …?

212
ADVERTISEMENT

ହିଂଜିଳିକାଟୁ,୨୭/୭(ଶେଷଦେବ ସାହୁ) : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବ୍ୟାଗ ଓଜନ ଉପରେ କଟକଣା କରାଯାଇଛି । ହେଲେ କେବେ ପାଳନ ହେବ ଏହି ସରକାରୀ ନିୟମ ଏବଂ କେବେ ପିଲାଙ୍କ ସ୍କୁଲ ବ୍ୟାଗର ଓଜନ କମିବ ତାକୁ ନେଇ ବର୍ତ୍ତମାନ ଚିନ୍ତାରେ ଅଭିଭାବକ । ସରକାରଙ୍କ କହିବା ଅନୁସାରେ ନୂତନ ଶିକ୍ଷାବର୍ଷରୁ ଏହା ଲାଗୁ ହେବା କଥା କିନ୍ତୁ ଚଳିତ ଶିକ୍ଷା ବର୍ଷ ଆରମ୍ଭ ହୋଇ ଗ୍ରୀଷ୍ମ ଅବକାଶ ସରି ପୁଣି ସ୍କୁଲ ଖୋଲିବାର ୧ ମାସ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଉକ୍ତ ନିୟମ କାର୍ଯ୍ୟକାରୀ ହୋଇ ପାରିନାହିଁ । ଏଯାବତ୍ କୋମଳମତି ଛାତ୍ରଛାତ୍ରୀ ମାନଙ୍କର ଓଜନ ବ୍ୟାଗ ପରିବହନକ ନେଇ କଟକଣା ଲାଗୁ ହେଲାନାହିଁ । ଫଳରେ ସରକାରୀ ନିୟମ ପାଣିର ଗାର ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । କୁନି କୁନି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସାରା ରାଜ୍ୟର ଶିକ୍ଷାର୍ଥୀ ମାନଙ୍କ ବ୍ୟାଗ ଓଜନ ପରିବହନ ନିୟମ ଉପରେ କଟକଣା କରାଯାଇଛି । କୋମଳମତି ଛାତ୍ରଛାତ୍ରୀ ମାନେ ଅଧିକ ଓଜନର ବ୍ୟାଗ ପରିବହନ କରିବା ଦ୍ୱାରା ସେମାନଙ୍କର ଫୁସ୍ଫୁସ୍, ଅଂଟା, ବେକ, ମୁଣ୍ଡ ଏବଂ ଆଣ୍ଠୁ ଗଣ୍ଠିରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ଏହି ସମସ୍ୟାରୁ ସେମାନଙ୍କୁ ଦୂରେଇ ରଖିବାକୁ ନିୟମ ଜାରୀ କରାଯାଇଛି । ମାତ୍ର ଇତି ମଧ୍ୟରେ ପୁର୍ବ ଶିକ୍ଷା ବର୍ଷ ଯାଇ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଥିଲେ ସୁଦ୍ଧା ଏହାକୁ କଡ଼ାକଡ଼ି ଭାବେ ପାଳନ କରାନଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଧେଶ କରୁଛି । ୨୦୧୯ ମାର୍ଚ୍ଚ ୮ ତାରିଖ ଗାଇଡ଼ଲାଇନ ଅନୁସାରେ ପିଲାଙ୍କ ସ୍କୁଲ ବ୍ୟାଗ ପରିବହନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଥିଲା । ମାତ୍ର ଖୋଦ ରାଜ୍ୟ ମୁଖିଆଙ୍କ ଗଡ଼ରେ ଏହାକୁ ପାଳନ କରାଯାଉନଥିବା ଦେଖିବାକୁ ମିଳୁଛି । ୨୦୧୮ ଅକ୍ଟୋବର ୨୦ ତାରିଖରେ ଜାରୀ ହୋଇଥିବା ଗାଇଡ଼ଲାଇନ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଶିକ୍ଷାର୍ଥୀ ମାନଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ପ୍ରାୟ ୧.୫ କିଲୋଗ୍ରାମ ରଖାଯାଇଥିବା ବେଳେ ୩ୟ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ପାଇଁ ସ୍କୁଲ ବ୍ୟାଗର ଓଜନ ପ୍ରାୟ ୨ ରୁ ୩ କିଲୋଗ୍ରାମ ଓଜନର ବ୍ୟାଗ ବ୍ୟବହାର କରାଯିବାକୁ କୁହାଯାଇଛି । ଏଥିରୁ ଅଧିକ ଓଜନର ବ୍ୟାଗ ନେବା ପାଇଁ କଟକଣା ଜାରୀ କରାଯାଇଛି । ସେହିଭଳି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ସ୍କୁଲ ବ୍ୟାଗର ଓଜନ ଜଣେ ପିଲାର ଓଜନର ୧୦% ରୁ ଅଧିକ ହେବ ନାହିଁ ବୋଲି ନିର୍ଦ୍ଧେଶ ରହିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ । ଫଳରେ ଏଯାବତ୍ ଶିକ୍ଷାର୍ଥୀ ମାନେ ଓଜନିଆ ବ୍ୟାଗ ଧରି ବିଦ୍ୟାଳୟକୁ ଯାତାୟତ କରୁଥିବାର ଦେଖିବାକୁ ମିଳୁଛି । ସରକାରୀ ସ୍କୁଲର ଅବସ୍ଥା ଯାହା ହେଉନା କାହିଁକି, ଘରୋଇ ସ୍କୁଲ ଗୁଡ଼ିକରେ ଏହି ବସ୍ତାନି ବୋଝ ଦିନକୁ ଦିନ ବଢିବାରେ ଲାଗିଛି । ଏ ନେଇ କିଛି ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀ ମାନଙ୍କସହ ଯୋଗଯୋଗ କରିବାରୁ ସେ କହିଲେ ଏଯାବତ୍ ଏ ବିଷୟରେ କୌଣସି ସରକାରୀ ଗାଇଡ଼ ଲାଇନ ପଂହଚିନଥିବା କହିଛନ୍ତି । ତେବେ ଉକ୍ତ ନିୟମକୁ ତୁରନ୍ତ ପାଳନ କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି ।

Advertisement