ହିଂଜିଳିକାଟୁ, ୬/୭ (ଶେଷଦେବ ସାହୁ): ମୌସୁମୀର ଲୁଚକାଳି ଖେଳ ଏବେ ଚାଷୀଙ୍କ ପାଇଁ କାଳ ହୋଇଛି । ବିଳମ୍ବିତ ମୌସୁମୀ ଯୋଗୁଁ ଚାଷୀକୂଳ ଏବେ ଚିନ୍ତାରେ । ବର୍ଷା ନଥିବାରୁ ଆଗେଇ ପାରୁନାହିଁ ଚାଷ କାର୍ଯ୍ୟ । ତେବେ ହିଂଜିଳି ବ୍ଳକରେ ଚଳିତ ଖରିଫ ଋତୁରେ ଧାନ ଚାଷ ବିଶେଷ ଭାବରେ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖାଦେଇଛି । ବର୍ଷାକୁ ଚାତକ ଭଳି ଚାହିଁ ରହିଛି ଚାଷୀ । ଏପଟେ ମୌସୁମୀ ଉଭାନ୍ । ବର୍ଷା ଅଭାବରୁ ଏବେ ଚାଷୀ କୂଳ ଚିନ୍ତାରେ । ପାଣିପାଗ ବିଭାଗ ସୂଚନା ମୁତାବକ ଚଳିତ ବର୍ଷ ସାମାନ୍ୟ ବିଳମ୍ବରେ ଓଡ଼ିଶା ଛୁଇଁଛି ମୌସୁମୀ । ତେବେ ପ୍ରାକ୍ ମୌସୁମୀ ବର୍ଷାକୁ ଦେଖି ଚାଷୀକୂଳ ଚାଷ କରିବାକୁ ସଜବାଜ ହୋଇଯାଇଥିଲେ । ଏପରିକି ଚାଷ ସକାଶେ କ୍ଷେତ ପ୍ରସ୍ତୁତ କରିସାରିଥିଲେ । କିନ୍ତୁ ବର୍ଷା ନହେବାରୁ ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏପଟେ କେନାଳ ମଧ୍ୟ ଶୁଖିଲା ପଡ଼ିଛି । ଖରା ପ୍ରକୋପରୁ ଧାନ ଚାଷ ହୋଇଥିବା ଜମି ଫାଟିବା ଆରମ୍ଭ କଲାଣି । ଚାଷ ଜମିକୁ ପାଣି ଏକାନ୍ତ ଆବଶ୍ୟକ ଥିବା ଯୋଗୁଁ ଚାଷୀକୂଳ ଚାଷ କିପରି କରିବେ ଏବଂ କଣ କରିବେ ସେ ଚିନ୍ତାରେ ବସିଛନ୍ତି ଚାଷୀ ଭାଇମାନେ ‘ଦଇବ ଭରସା ବୋଲି ‘ କହିଛନ୍ତି । ରଜସମୟରୁ ଚାଷୀ ଚାଷ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇଥାଏ । ମୌସୁମୀର ଆଗମନ ସୂଚନା ପାଇ ଧାନ ତଳି ପକାଇଥାଏ । ଏପରିକି କେତେକ ଚାଷୀ ମଧ୍ୟ ଆଗୁଆ ଚାଷ କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ବିଲରେ ଧାନ ମଧ୍ୟ ବୁଣି ଦେଇଥିଲେ । କିନ୍ତୁ ପାଣି ଅଭାବରୁ ଏବେ ଏହା ଗଜା ମରୁଡ଼ି ଆଶଙ୍କା ଦେଖାଦେଇଛି । ତେବେ ଆଗାମୀ ୨ ରୁ ୪ ଦିନ ମଧ୍ୟରେ ବର୍ଷା ନହେଲେ ଏହା ଗଜା ମରୁଡ଼ିରେ ପରିଣତ ହେବ ବୋଲି ଚାଷୀକୂଳ କହିଛନ୍ତି । ଅନ୍ୟପକ୍ଷରେ ପାଣିପାଗ ବିଭାଗର ଲଘୁଚାପ ସୂଚନା ଏବେ ଚାଷୀକୂଳ ମଧ୍ୟରେ ଆଶାର ସଂଚାର କରିଛି । କାରଣ ଏବେ କ୍ଷେତକୁ ବର୍ଷା ପାଣି ହିଁ ଭରସା । ତେବେ ଉପଯୁକ୍ତ ସମୟରେ ବର୍ଷା ନହେଲେ ଧାନ ଚାଷ କ୍ଷତିଗ୍ରସ୍ତ ହେବା ସହ ଚଳିତ ବର୍ଷ ଧାନ ଅମଳ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଅନ୍ୟପଟେ କିଛି ଦିନ ମଧ୍ୟରେ ବର୍ଷା ନହେଲେ ଧାନଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରଖିଛି କୃଷି ବିଭାଗ । ଚଳିତ ବର୍ଷ ହିଂଜିଳି ବ୍ଳକ ଓ ପୌରାଂଚଳରେ ୧୬ ହଜାର ହେକ୍ଟର ଜମିରେ ଧାନଚାଷ କରାଯିବାକୁ ଲକ୍ଷ୍ୟ ରଖିଛି କୃଷି ବିଭାଗ । ତେବେ ବିଳମ୍ବିତ ମୌସୁମୀ ଓ ବର୍ଷାକୁ ନେଇ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।