ଦୁର୍ବନ୍ଧରେ ପାଗଳ ମାଙ୍କଡ଼ ଆତଙ୍କ : ମାଙ୍କଡ଼କୁ କାବୁ କରିବାରେ ବନବିଭାଗ ବିଫଳ

424
ADVERTISEMENT

ହିଂଜିଳିକାଟୁ,୩/୭(ଶେଷଦେବ ସାହୁ): ହିଂଜିଳି ଥାନା ଦୁର୍ବନ୍ଧ ଗ୍ରାମରେ ଗତ ଦୁଇ ଦିନ ଧରି ପାଗଳ ମାଙ୍କଡ଼ ଆତଙ୍କ ଦେଖାଦେଇଛି । ପାଗଳ ମାଙ୍କଡ଼ କାମୁଡ଼ାରେ ଗ୍ରାମର ୧୫ରୁ ଉଦ୍ଧ୍ୱ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇ ହିଂଜିଳିକାଟୁ ଗୋଟିଏ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ବ୍ରହ୍ମପୁର ବଡ଼ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ପାଗଳ ମାଙ୍କଡ଼କୁ କାବୁ କରିବାରେ ସ୍ଥାନୀୟ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି । ସୋମବାର ପୂର୍ବାହ୍ନରୁ ସଂପୃକ୍ତ ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଦେଖାଦେଇଛି । ମାଙ୍କଡ଼ ଭୟରେ ଗ୍ରମାବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି । ପାଗଳ ମାଙ୍କଡ଼ କାମୁଡ଼ାରେ ଗ୍ରାମର ରଙ୍ଗବତି ସାହୁ, କାମିନି ସାହୁ, ସୁଜତା ସାହୁ, ସାହେବ ସାହୁ, ରାଜୁ ସାହୁ, ଅଭିରାମ ସାହୁ, ବାବୁ ସାହୁ, ବାସୁ ସାହୁ, ମୁକେଶ ସାହୁ, ନାରାୟଣ ସାହୁ, ରାଜୁ ସାହୁଙ୍କ ସମେତ ଗ୍ରାମର ବହୁ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ନେଇ ଗ୍ରାମବାସୀ ହିଂଜିଳିକାଟୁ ବନବିଭାଗୀୟ କର୍ମଚାରୀଙ୍କୁ ଅବଗତ କରିବା ପରେ ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ବନବିଭାଗୀୟ ଫରେଷ୍ଟର ପ୍ରଦିପ କୁମାର ପଣ୍ଡା ଓ କିଛି କର୍ମଚାରୀ ସଂପୃକ୍ତ ଗ୍ରାମରେ ପଂହଚି ପାଗଳ ମାଙ୍କଡ଼କୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ବିଫଳ ହୋଇଛନ୍ତି । ବୁଧବାର ଦିନ ଟ୍ରାଙ୍କୁଲାଇଜର ଟିମ ସହାୟତାରେ ପାଗଳ ମାଙ୍କଡ଼କୁ କାବୁ କରାଯିବ ବୋଲି ଫରେଷ୍ଟର ପଣ୍ଡା କହିଛନ୍ତି । ପ୍ରକାଶ ଥାଉକି, ଗତ ୨୭ ଏପ୍ରିଲ ତାରିଖରେ ହିଂଜିଳି ଥାନା କାଂଜିଆମା ଗ୍ରାମରେ ପାଗଳ ମାଙ୍କଡ଼ କାମୁଡ଼ାରେ ୫ ଜଣ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଥିଲେ ଏବଂ ଗତ ସେପ୍ଟେମ୍ବର ୨୦୧୮ରେ ହିଂଜିଳି ଥାନା କଣ୍ଟେଇକୋଳି ଗ୍ରାମରେ ପାଗଳ ମାଙ୍କଡ଼ କାମୁଡ଼ାରେ ପ୍ରାୟ ୪୦ ରୁ ଉଦ୍ଧ୍ୱର୍ ଆହତ ହୋଇଥିଲେ ।

Advertisement