ADVERTISEMENT
Home ମୁଖ୍ୟ ଖବର ଟଙ୍କା ନଦେଲେ ରୋଗୀଙ୍କ ମର ଶରୀରକୁ ହସ୍ପିଟାଲ କର୍ତ୍ତୃପକ୍ଷ ଛାଡୁ ନଥିବା ସମସ୍ୟାର ସମାଧାନ ପାଇଁ...

ଟଙ୍କା ନଦେଲେ ରୋଗୀଙ୍କ ମର ଶରୀରକୁ ହସ୍ପିଟାଲ କର୍ତ୍ତୃପକ୍ଷ ଛାଡୁ ନଥିବା ସମସ୍ୟାର ସମାଧାନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

253
ADVERTISEMENT



ଭୁବନେଶ୍ୱର ୧/୭(ଡ଼ି ଏଚ ବି): ଘରୋଇ ହସ୍ପିଟାଲରେ ମନମୁଖୀ କାମ ଚାଲୁଥିବା ନେଇ ସାଧାରଣ ଲୋକ ହଇରାଣ ହନ୍ତସନ୍ତ ହେଉଛନ୍ତି। ଟଙ୍କା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ମାନବିକତା ହରାଇ ବସୁଛନ୍ତି । ରୋଗୀଙ୍କ ଅବସ୍ଥାକୁ ଅଣଦେଖା କରି ହସ୍ପିଟାଲ କର୍ତ୍ତୃପକ୍ଷ ଟଙ୍କା ଆଦାୟ କରିବାରେ ଲାଗିପଡ଼ିଛନ୍ତି । ଟଙ୍କା ନଦେଲେ ରୋଗୀଙ୍କ ମର ଶରୀରକୁ ହସ୍ପିଟାଲ କର୍ତ୍ତୃପକ୍ଷ ଛାଡୁ ନଥିବା ପ୍ରସଙ୍ଗ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଶୂନ୍ୟକାଳରେ ଉଠାଇଛନ୍ତି । ଅଫିସର ସ୍ତରୀୟ କମିଟି ଗଠନ କରି ଏଭଳି ସମସ୍ୟାର ସମାଧାନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ଏପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଯାଇଛି । ଲିଖିତ ଅଭିଯୋଗ ଉପରେ ସ୍ୱାସ୍ଥ୍ୟ ବିଭାଗରେ ଏକ ସ୍ୱତନ୍ତ୍ର କମିଟି ଗଠନ ହୋଇଛି । କମିଟି ପ୍ରଥମେ ରିପୋର୍ଟ ଦାଖଲ କରିବ । ଆଉ ତା’ପରେ ଆଇନ୍‌ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ୱାସ୍ଥ୍ୟ ବିଭାଗକୁ ଯଦି କୌଣସି ସାଧାରଣ ଲୋକ ଅଭିଯୋଗ କରୁଛି, ତେବେ ସମସ୍ୟାର ତୁରନ୍ତ ସମାଧାନ କରାଯିବ । ବ୍ୟକ୍ତିଗତ ଅଭିଯୋଗ ଆଧାରରେ ମଧ୍ୟ ତଦନ୍ତ ହେଉଛି । ଲୋକଙ୍କ ସେବାପାଇଁ ସରକାର ସବୁବେଳେ ଚେଷ୍ଟାରତ। ଏହା ବ୍ୟତୀତ ଆଜି ବିଧାନସଭାରେ ମାଲକାନଗିରି ପ୍ରସଙ୍ଗ ଉଠିଛି । ଦାରିଦ୍ର୍ୟ ଯନ୍ତ୍ରଣାରେ ଅତିଷ୍ଠ ହୋଇ ନିଜର ଦୁଇ ଛୁଆକୁ ବିଷ ପିଆଇ ନିଜେ ଆତ୍ମହତ୍ୟା କରିବା ଘଟଣା ସଂପର୍କରେ ଆଜି ବିଧାନସଭା ଶୂନ୍ୟକାଳରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡି ଉଠାଇଛନ୍ତି । ଏହି ଘଟଣାରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଉଦବେଗ ପ୍ରକାଶ କରିଛନ୍ତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।



Advertisement