ହିଞ୍ଜିଳିକାଟୁ, ୨୮/୬(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଚିତ ହିଞ୍ଜିଳିକାଟୁ ପୌରାଞ୍ଚଳ ମଧ୍ୟରେ ଅବସ୍ଥାପିତ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ସମ୍ମୁଖରେ ଏବେ ଗାଡ଼ିମଟର ରଖିବା ପାଇଁ ଗ୍ରାହକଙ୍କୁ ଅନୁମତି ମିଳୁନି । ପ୍ରମୁଖ ବ୍ୟାଙ୍କ ସମ୍ମୁଖରେ କିମ୍ବା ପ୍ୱାଶ୍ୱର୍ରେ କୌଣସି ସୁବିଧା ନଥିବାରୁ ବାହାର ଅଞ୍ଚଳରୁ ବ୍ୟାଙ୍କକୁ ଆସୁଥିବା ହଜାର ହଜାର ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ଗ୍ରାହକ ମାନେ ବାରମ୍ବାର ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ବ୍ୟାଙ୍କ ପାଇଁ ଘର ଭଡ଼ା ଦେଇଥିବା ଘର ମାଲିକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କାହାର ଏଥି ପ୍ରତି ଦୃଷ୍ଟିପଡ଼ୁନି । ଫଳରେ ଗ୍ରାହକ ମାନଙ୍କମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଅଭିଯୋଗ ମୁତାବକ ହିଞ୍ଜିଳିକାଟୁ ପୌରାଞ୍ଚଳ ମଧ୍ୟରେ ୮ ଗୋଟି ରାଷ୍ଟ୍ରାୟତ ବ୍ୟାଙ୍କ ସମେତ ଭାରତୀୟ ଜୀବନ ବୀମା ନିଗମର ଏକ କାର୍ଯ୍ୟାଳୟ ରହିଛି । ତନ୍ମଧ୍ୟରୁ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ୬ଗୋଟି ବ୍ୟାଙ୍କ ରହିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ବାଦ ଦେଲେ ଏକ୍ସିସ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଆନ୍ଧ୍ରା ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆସିଆଇ ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ରହିବା ସହ ଭାରତୀୟ ଜୀବନ ବୀମା ନିଗମର କାର୍ଯ୍ୟାଳୟ ରହିଛି । ବ୍ୟାଙ୍କର ଶାଖା କାର୍ଯ୍ୟାଳୟ ଗୁଡ଼ିକୁ ପ୍ରତ୍ୟହ ହଜାର ହଜାର ସରକାରୀ କର୍ମଚାରୀ, ପେନସନ ଭୋଗୀ, ବ୍ୟବସାୟୀ ଏବଂ ସାଧାରଣ ଗ୍ରାହକ ନେଣ ଦେଣ ପାଇଁ ଆସିଥାନ୍ତି । ହେଲେ ଏଠାରେ ଗ୍ରାହକଙ୍କ ଯାନବାହାନ ରଖିବା ପାଇଁ ଆବଶ୍ୟକ ସ୍ଥାନ ନାହିଁ । ବାଧ୍ୟହୋଇ ଗ୍ରାହକମାନେ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ଗାଡ଼ିମଟର ରଖିଥାନ୍ତି । ଅନେକ ସମୟରେ କେତେକ ଗ୍ରାହକଙ୍କ ବାଇକ ଲୁଟ ହୋଇଯାଇଥିବା ବେଳେ, କେବେକେବେ ଗ୍ରାହକଙ୍କ ଟଙ୍କା ଛଡ଼ାଇ ନେଇଯିବାର ମଧ୍ୟ ନଜିର ରହିଛି । ଫଳରେ ଗ୍ରାହକଟି ଟଙ୍କା ଉଠାଇ ସୁରକ୍ଷିତ ଅବସ୍ଥାରେ ଘରେ ପହଞ୍ଚିବା ନେଇ ଆଶଙ୍କା ସୃଷ୍ଟି ହେଉଛି ।
୫୯ ନଂ ଜାତୀୟ ରାଜପଥ ତଥା ସହରର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳଭାବେ ପରିଚିତ ବସଷ୍ଟାଣ୍ଡ ନିକଟସ୍ଥ ଧନୀ କଂପ୍ଲେକ୍ସ ପରିସରରେ ଥିବା ଏକ୍ସିସ ବ୍ୟାଙ୍କ, ବିଜୁ ପଟ୍ଟନାୟକ ଛକରେ ଥିବା ୟୁକୋ ବ୍ୟାଙ୍କ, ନଡ଼ିଆ ବଜାର ମଧ୍ୟରେ ରହିଥିବା ୟୁନିୟନ ବ୍ୟାଙ୍କ, ବିଜୁ ସିନେମାହଲ ନିକଟରେ ସାହେବ କମ୍ପେ୍ଳକ୍ସ ପରିସରରେ ରହିଥିବା ଆନ୍ଧ୍ରା ବ୍ୟାଙ୍କ ଏବଂ ବଇଁଚବଣିଆ ଛକ ନିକଟରେ ରହିଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଆଇସିଆସିଆଇ ବ୍ୟାଙ୍କର ଶାଖା କାର୍ଯ୍ୟାଳୟକୁ ପ୍ରତ୍ୟହ ସହସ୍ରାଧିକ ବ୍ୟକ୍ତି ଟଙ୍କା ନେଣଦେଣ ପାଇଁ ଆସିବା ସହ ଲକ୍ଷଲକ୍ଷ ଟଙ୍କାର କାରବାର କରିଥାନ୍ତି । ଅଧିକାଂଶ ଗ୍ରାହକଙ୍କୁ ବ୍ୟାଙ୍କ ସମ୍ମୁଖରେ ବାଇକ ରଖିବା ପାଇଁ ଜାଗାଟିଏ ନାହିଁ । ଯେଉଁଥିପାଇଁ ଅନେକ ଗ୍ରାହକ ସେମାନଙ୍କ ବାଇକ, କାର ଓ ଭଡ଼ାରେ ଆଣିଥିବା ଅଟୋକୁ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ କିମ୍ବା ବ୍ୟାଙ୍କ ନିକଟରେ ରହିଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ରଖିଥାନ୍ତି ।
ବହୁ ସମୟରେ ସଂପୃକ୍ତ ସ୍ଥାନଗୁଡ଼ିକରେ ଟ୍ରାଫିକ ଜାମ ରହିବା ସହ ଦୁର୍ଘଟଣା ଘଟୁଥିବାବେଳେ ଅନ୍ୟ କିଛି ସମୟରେ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ସହ ବ୍ୟାଙ୍କକୁ ଆସୁଥିବା ଗ୍ରାହକଙ୍କ ମଧ୍ୟରେ ଗାଡ଼ି ପାର୍କିଂକୁ ନେଇ ଉଚ୍ଚବାଚ ହେଉଥିବାର ଦେଖିବାକୁ ମିଳୁଛି । ଏଭଳି ଅସୁବିଧାର ସୁଯୋଗ ନେଇ ଅନେକ ସମୟରେ ଗ୍ରାହକ ଲୁଟର ଶିକାର ହେଉଥିବାବେଳେ ବାଇକ ମଧ୍ୟ ଚୋରି ହେଉଥିବାର ଜଣାପଡ଼ିଛି । ସ୍ଥାନୀୟ ପୁଲିସ ପ୍ରଶାସନ, ବ୍ୟାଙ୍କ କର୍ତ୍ତୃପକ୍ଷ ଓ ବ୍ୟାଙ୍କକୁ ଭଡ଼ା ସୁତ୍ରରେ ଦେଇଥିବା ଘର ମାଲିକ ମାନେ ଏହି ସମସ୍ୟାର ସମାଧାନ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।