ବ୍ରହ୍ମପୁର ,୧୨।୧(ଡି.ଏଚ,ହିମାଂଶୁ ପାଢୀ ) : ବ୍ରହ୍ମପୁରରେ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ୧୧/୧/୨୦ଠାରୁ ଆରମ୍ଭ ହୋଇ ୧୭/୧/୨୦ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଜାଗାରେ ପାଳିତ ହେଉଥିବା ବେଳେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପ୍ରଚେଷ୍ଟାରେ ବେଲଗୁଣ୍ଠା ଠାରେ ଏକ ବିରାଟ ଅଟୋରାଲି ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ବେଲଗୁଣ୍ଠା ବସଷ୍ଟାଣ୍ଡ ପଡିଆଠାରେ ଘୁମୁସର ଅଞ୍ଚଳର ଜଣାଶୁଣା ସମାଜସେବୀ ଶୁଳପାଣୀ ଶତପଥୀଙ୍କ ସଂଯୋଜନାରେ ହୋଇଥିବା ସଚେତନତା ସଭାରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାଡି ଚାଳକ ମାନେ ସଡକ ନିରାପତ୍ତା ନିୟମ ଉଲଂଘନ କରିବା ଦ୍ୱାରା ହେଉଥିବା ଦୁର୍ଘଟଣା ସେହି ବ୍ୟକ୍ତି ଅପେକ୍ଷା ତାଙ୍କ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦାୟକ ବୋଲି ପ୍ରକାଶ କରିଥିଲେ । ଜୋରିମନା ଆଦାୟ ସମାଧାନର ପନ୍ଥା ନୁହେଁ, ବ୍ୟାପକ ସଚେତନତା ଦ୍ୱାରା ସୁରକ୍ଷିତ ଯାତ୍ରା ମୋର ଲକ୍ଷ୍ୟ ବୋଲି ଶ୍ରୀ ରାୟ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ରୁପେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଯୋଗଦେଇ ପରିବହନ ଅଧିକାରୀଙ୍କ ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପରିବହନ ଅଧିକାରୀ ଓ ପୋଲିସଙ୍କ ନିୟମିତ ଡ୍ରଙ୍କ ଏଣ୍ଡ ଡ୍ରାଇଭ୍ ଓ ବ୍ଳକିଂ ଚେକିଂ ଯୋଗୁଁ ବହୁମାତ୍ରାରେ ଦୁର୍ଘଟଣା କମିଥିବା ଦେଖିବାକୁ ମିଳିଛି ।

















