ଛତ୍ରପୁର, ୨୬/୬(ଆଇଏଣ୍ଡପିଆର): ଆସନ୍ତାକାଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଦିନିକିଆ ଗଞ୍ଜାମ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏନେଇ ବୁଧବାର ଛତ୍ରପୁରସ୍ଥିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଭୁବନେଶ୍ୱରସ୍ଥିତ ରାଜଭବନରୁ ସେ କାର ଯୋଗେ ଆସି ଗୁରୁବାର ପୂର୍ବାହ୍ନ ୧୧ଟାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟସ୍ଥିତ ଗେଷ୍ଟହାଉସ୍ଠାରେ ପହଞ୍ଚିବେ। ପରେ ସେଠାରେ ସେ ବିଶ୍ୱବିଦ୍ୟାଳୟର ବିଭିନ୍ନ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଏକ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସଭାରେ ଯୋଗଦେବା ସହ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ରାଜ୍ୟପାଳ ଅପରାହ୍ନ ୩ଟା ୫୦ ମିନିଟରେ ଭୁବନେଶ୍ୱରସ୍ଥିତ ରାଜଭବନ ଅଭିମୁଖେ ଫେରିଯିବେ ବୋଲି ସୂଚନା ହସ୍ତଗତ ହୋଇଛି।