ଦୋଳି ସାଜିଲା କାଳ

ଦୋଳି ରଶିରେ ଛନ୍ଦି ହୋଇ ନାବାଳିକାଙ୍କ ମୃତ୍ୟୁ

159
ADVERTISEMENT

ହିଞ୍ଜିଳିକାଟୁ, ୨୨ା୬(ଶେଷଦେବ ସାହୁ): କିଛି ଦିନ ପୂର୍ବରୁ ପାଳିତ ହୋଇଥିବା ରଜପର୍ବର ମଜା ମନରୁ ନଲିଭୁଣୁ ରଜଦୋଳି ରଶିରେ ଛନ୍ଦି ହୋଇ ଜୈନିକା ନାବାଳିକାଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଦୁଃଖଦ ଘଟଣା ଶନିବାର ଅପରାହ୍ନରେ ହିଞ୍ଜିଳିକାଟୁ ପୌରାଞ୍ଚଳ ଅନ୍ତର୍ଗତ ମୋହନ କଲୋନୀରେ ଘଟିଛି । ମୃତକ ଜଣକ ହେଉଛନ୍ତି ସଂପୃକ୍ତ ଅଞ୍ଚଳର ଅରୁଣ ମହାନ୍ତିଙ୍କ ନାବାଳିକା କନ୍ୟା ଅର୍ପିତା ମହାନ୍ତି(୧୧) ।

ରଜପର୍ବ ପରଠାରୁ ନାବାଳିକା ଜଣକ ପ୍ରତ୍ୟହ ରଶି ସହାୟତାରେ ଘରେ ବନ୍ଧା ହୋଇଥିବା ଦୋଳି ଖେଳି ଆସୁଥିଲେ । ହେଲେ ଶନିବାର ଦୋଳି ଖେଳିବା ନାବାଳିକାଙ୍କ ପ୍ରତି ସତେ ଯେପରି କାଳ ସାଜିଥିଲା । ନାବାଳିକା ଜଣକ ଦୋଳି ଖେଳୁଥିବା ସମୟରେ ହଠାତ୍ ଦୋଳିର ରଶିଟି ଛିଡ଼ିଯିବାରୁ ଛିଡ଼ା ରଶିଟି ନାବାଳିକାଙ୍କ ବେକରେ ଗୁଡ଼ାଇ ହୋଇପଡ଼ିବା ସହ ନାବାଳିକା ଜଣକ ରଶିରେ ଝୁଲି ରହିଥିଲେ । ପରିବାର ସଦସ୍ୟ ଘଟଣା ଦେଖି ନାବାଳିକାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର, ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ହିଞ୍ଜିଳି ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଥିଲେ । ଏ ନେଇ ନଂ- ୧୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Advertisement