ଦିଗପହଣ୍ଡି,୭।୧୨(ଡି.ଏଚ/ ଗୁରୁପ୍ରସାଦ ପଟନାୟକ ): ଶନିବାର ଠାରୁ ନିଖୋଜ ଥିବା ଜଣେ ବ୍ୟକ୍ତିର ଗଳିତ ମୃତ୍ୟ ଦେହକୁ ଜଙ୍ଗଲରୁ ପାଟପୁର ପୋଲିସ ଆଜି ଉଦ୍ଧାର କରିଛି । ପରିବାରଲୋକେ ଚିହ୍ନଟ କରି ତାହା ନିଖୋଜ ଅଙ୍ଗଦ ମାଲିକ୍ (୭୨) ବୋଲି ପାଟପୁର ଥାନାର ସେକେଣ୍ଡ ଅଫିସର ସୁଭ୍ରଜିତ୍ ସାମନ୍ତରାୟ କହିଛନ୍ତି । ପାଟପୁର ଥାନା ଅନ୍ତର୍ଗତ ଗାଙ୍ଗପୁର ପଞ୍ଚାୟତର ଆଦିବାସୀ ଗ୍ରାମ ବାଘୁଅପଲ୍ଲି ଗ୍ରାମ ପାର୍ଶ୍ଵ ଜଙ୍ଗଲରୁ ଜଣେ ବ୍ୟକ୍ତିର ଗଳୀତ ମୃତଦେହ ପଡି ଦୁର୍ଗନ୍ଧ ହେଉଥିବା ଗୁରୁବାର ସନ୍ଧ୍ୟାରେ ଗ୍ରାମବାସୀ ଦେଖିଥିଲେ । ପରେ କୌଣସି ସୂତ୍ରରୁ ଖବର ପାଇ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ,ତଦନ୍ତକାରୀ ଅଧିକାରୀ ଶୁଭ୍ରଜିତ୍ ସାମନ୍ତରାୟ ସଦଳବଳେ ପହଞ୍ଚି ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ । ଆଜି ସକାଳେ ଘଟଣାସ୍ଥଳରେ ପରିବାର ଲୋକଙ୍କ ସହିତ ଡି ଏସ୍ ପି ସଞ୍ଜୟ କୁମାର ମହାପାତ୍ର, ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ସମେତ ତଦନ୍ତକାରୀ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ପରିବାର ଲୋକଙ୍କ ଦ୍ୱାରା ତାହା ଅଙ୍ଗଦ ମଳିକ୍ ବୋଲି ଚିହ୍ନଟ ହୋଇଥିଲା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି । ଏନେଇ ପୋଲିସ ନିଜ ଆଡୁ କେଶ ନମ୍ୱର୍ ୨୬୧/୨୦୧୯ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ଏହା ଏକ ହତ୍ୟାକାଣ୍ଡ ସନ୍ଦେହ କରାଯାଉଅଛି । ଅନ୍ୟପଟେ ତଦନ୍ତ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ରହସ୍ୟ ଜଣାପଡ଼ିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

















