ହିଞ୍ଜିଳିକାଟୁ,୩।୧୨:(ଡି.ଏଚ/ଶେଷଦେବ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଳକ ବଡ଼ଖଣ୍ଡି ଗ୍ରାମରେ ଝିଅ ସରକାରୀ ଚାକିରୀ ନ ଛାଡ଼ିବାରୁ ଏକ ପାରିବାରିକ ମାମଲାର ବିଚାର କରି ଝିଅଙ୍କ ବାପା ଓ ମାଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ ଘଟଣା ଗତ ଅକ୍ଟୋବର ମାସରେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ବଡ଼ଖଣ୍ଡି ଗ୍ରାମରେ ଗ୍ରାମ କମିଟି କଙ୍ଗାରୁ କୋର୍ଟ କରି ଗ୍ରାମର ନାଡ଼ି ଭଗବାନଙ୍କ ପରିବାରକୁ ୫ହଜାର ୫ଶହ ଟଙ୍କା ଜରିମାନା କରିଥିଲା । ଏଥିନେଇ ଗ୍ରାମରେ ଧେଣ୍ଡୁରା ଦେଇ ଉକ୍ତ ପରିବାରକୁ ସାମାଜିକ ବାସନ୍ଦ କରିବା ସହ ଦୋକାନୀକୁ ଜିନିଷ ନ ଦେବାକୁ ଭିଡ଼ିଓ ମଧ୍ୟ ସାମାଜିକ ଗଣ ମାଧ୍ରମରେ ଭାଇରାଲ ହୋଇଥିଲା । ଘଟଣାକୁ ନେଇ ବାସନ୍ଦ ପରିବାର ପୋଲିସ ସମେତ ବିଭିନ୍ନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ପଡ଼ି ନ ଥିଲା । କେହି ଘଟଣାକୁ ଗୁରୁତ୍ୱ ଦେଇ ନ ଥିଲେ । ଫଳରେ ଅନ୍ୟ ଉପାୟ ନ ପାଇ ଗତ ଅକ୍ଟୋବର ମାସରେ ବାସନ୍ଦ ପରିବାର ସାମାଜିକ ଗଣ ମାଧ୍ୟମରେ ଏକ ଭିଡ଼ିଓ ଜାରୀ କରି ସେମାନଙ୍କୁ ଗ୍ରାମରେ ଶାନ୍ତିରେ ବସବାସ କରିବାକୁ ନେହୁରା ହୋଇଥିଲେ । ଭିଡ଼ିଓରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ପୋଲିସ ଉଚ୍ଚ ଅଧିକାରୀଙ୍କୁ ନେହୁରା ହୋଇ ସେମାନଙ୍କ ଉପରେ ହୋଇଥିବା ଅନ୍ୟାୟ ଅତ୍ୟାଚାର ବିଷୟରେ କହିବା ସହ ପରିବାରଙ୍କୁ ଗାଁରେ ରଖିବାକୁ କାନ୍ଦି କାନ୍ଦି ନିବେଦନ କରିଥିଲେ । ଫଳରେ ଏହି ଭିଡ଼ିଓ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିବା ସହ ଏକ ବିଂଶ ଶତାଦ୍ଧୀରେ ନ୍ୟାୟିକ ବ୍ୟବସ୍ଥା ସତ୍ୱେ ଗ୍ରାମରେ କଙ୍ଗାରୁ କୋର୍ଟ ନାମରେ ଏକ ପରିବାରକୁ ଜରିମାନା ଓ ବାସନ୍ଦ କରିବା ଘଟଣାର ତୀବ୍ର ସମାଲୋଚନା ହୋଇଥିଲା । ସମାଜିକ ଗଣ ମାଧ୍ୟମରେ ଏପରି ଘଟଣାକୁ ରାଜ୍ୟ ଓ ରାଜ୍ୟ ବାହାରେ ଲୋକେ ନାପସନ୍ଦ କରିବା ସହ ତୁରନ୍ତ ପ୍ରଶାସନିକ ହସ୍ତକ୍ଷେପ ଦାବି କରିଥିଲେ । ବିଭିନ୍ନ ମହଲରୁ ପ୍ରଶାସନକୁ ଚାପ ପଡ଼ିବା ପରେ ପୋଲିସ ଉଚ୍ଚ ଅଧିକାରୀ ବଡ଼ଖଣ୍ଡି ଗ୍ରାମରେ ପହଂଚି ଗ୍ରାମ୍ୟ କମିଟି ବୈଠକ ଡ଼ାକିଥିଲେ । ଗ୍ରାମରେ ନାଡ଼ି ଭଗବାନଙ୍କ ପରିବାର ରହିଲେ ସେମାନଙ୍କ କୌଣସି ଆପତି ନାହିଁ ବୋଲି ଦର୍ଶାଇ ପୋଲିସକୁ ଲିଖିତ ଜଣାଇଥିଲେ । ଏଥି ସହ ଜିଲା ପ୍ରଶାସନ ପକ୍ଷରୁ ଘଟଣାକୁ ଗୁରୁତ୍ୱ ଦେଇ ଜିଲାରେ ଅନ୍ୟ କେଉଁ ସବୁ ଗ୍ରାମରେ ଗ୍ରାମ କମିଟି ନାମରେ ଜରିମାନା ଆଦାୟ ଓ କଙ୍ଗାରୁ କୋର୍ଟ କରି ନିଷ୍ପତି ଶୁଣାଯାଉଛି ତାହାରି ଉପରେ ରିପୋର୍ଟ କରିବାକୁ ଜିଲାପାଳ ନିଦେ୍ର୍ଧଶ କରିଥିଲେ । ଜିଲା ଗ୍ରାମ କମିଟିର ଲିଖିତ ପ୍ରସ୍ତାବ ପରେ ହିଂଜିଳି ପୋଳିସ ଟିମ ଗଜପତି ଜିଲାର ଲକ୍ଷ୍ମୀପୁର ଠାରେ ବାସନ୍ଦ ପରେ ରହୁଥିବା ନାଡ଼ି ଭଗବାନଙ୍କ ପରିବାରକୁ ଭେଟି ସେମାନଙ୍କୁ ବଡ଼ଖଣ୍ଡି ଗ୍ରାମକୁ ଫେରିବାକୁ କହିଥିଲେ । ତେବେ ପରିସ୍ଥିତି ଶାନ୍ତି ପଡ଼ିଲେ ସେମାନେ ଗ୍ରାମକୁ ଫେରିବାକୁ ପୋଲିସକୁ ଜଣାଇଥିଲେ । ସୋମବାର ପୂର୍ବାହ୍ନରେ ନାଡ଼ି ଭଗବାନ, ନାଡ଼ି ରାଜଶ୍ୱରୀ ସେମାନଙ୍କ ଶିକ୍ଷୟତ୍ରୀ ଝିଅ ମମତା ଓ ମମତାଙ୍କ ୪ବର୍ଷର ପୁଅଙ୍କ ସହ ପ୍ରଥମେ ହିଞ୍ଜିଳି ଥାନାରେ ପହଂଚିଥିଲେ । ସେଠାରୁ ପୋଲିସ ହେପାଜତରେ ବଡ଼ଖଣ୍ଡି ଗ୍ରାମକୁ ଯାଇଥିଲେ । ଗ୍ରାମରେ ଶାନ୍ତିରେ ବସବାସ କରିବାକୁ ପୋଲିସ ଗ୍ରାମରେ ଅପିଲ କରିଛି । କୋ÷ଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ କରିବାକୁ ଗ୍ରାମବାସୀଙ୍କୁ ଜଣାଇଛି । ଗ୍ରାମକୁ ଫେରିବା ପରେ ନାଡ଼ି ଭଗବାନ ପ୍ରଶାସନ, ପୋଲିସଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେମାନେ ପୂର୍ବପରି ଗ୍ରାମରେ ଶାନ୍ତିରେ ବଂଚିବାକୁ ଗ୍ରାମବାସୀ ସହଯୋଗ କରିବାକୁ ମଧ୍ୟ ନିବେଦନ କରିଛନ୍ତି ।

















