ପୁରୁଷୋତ୍ତମପୁର,୨୭।୧୧(ଡି.ଏଚ/ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ ଏ ଏସି ସ୍ଥିତ ସ୍ବପ୍ନଶ୍ବର ଛକଠାରୁ କୁମାରୀ ପର୍ଯ୍ୟନ୍ତ ଅଢେ଼ଇ କିଲୋମିଟର ରାସ୍ତାର ଚାରି ଥାକିଆ ପ୍ରଶସ୍ତି କରଣ କାମ ଦୀର୍ଘ ଦୁଇ ବର୍ଷ ଅଧିକ ସମୟ ଧରି ଚାଲିରହିଛି । ସୋମବାର ଦିନ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ତପନ ପାଣିଗ୍ରାହୀ, ଏସଡିଓ ଟି.ଲୋକେଶ,କନିଷ୍ଠ ଯନ୍ତ୍ରୀ ପ୍ରଭାକର ସେଠି,ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ସୁବାଷ ନାୟକ ପ୍ରମୁଖ ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ସହରସ୍ଥିତ କାଳୀ ମନ୍ଦିର ଛକ,ଏନ ଏଏସି କାର୍ଯ୍ୟାଳୟ ସମ୍ମୁଖ,ରଥସାହି ଛକ,କଲେଜ ଛକ,ପ୍ରଭୁତି ସ୍ଥାନରେ ରାସ୍ତା ନିର୍ମାଣ କାର୍ଯ୍ୟ ଅନିୟମିତତା ଦେଖି ଅଧିକାରୀ ମାନେ କ୍ଷୋଭ ପ୍ରକାଶ କରିଥିଲେ।ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ୬୬ଫୁଟ (ଓସାର) ସ୍ଥାନ ଚିହ୍ନଟ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖି ଏସଡିଓଙ୍କୁ ତୁରନ୍ତ ଏହାର ମାପଚୁପ ଠିକ କରି ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପାଇପଲାଇନ ବିଛେଇବା,ରାସ୍ତା ମଝିରୁ ବିଦ୍ୟୁତ ଖୁଣ୍ଟ ହଟାଇବା, ବିଦ୍ୟୁତ ଖୁଣ୍ଟ ପୋତିବା,ଉଭୟ ପାଶ୍ୱରେ ଡ୍ରେନେଜ ନିର୍ମାଣ ଉପରେ ଗୁରୁତ୍ବାରୋପ କରିବା ସହ ରାସ୍ତା ପ୍ରଶସ୍ତୀକରଣ ପ୍ଳାନକୁ ଠିକ ଭାବେ ସମ୍ପାଦନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ପରୀତାପର ବିଷୟ ରାସ୍ତା ନିର୍ମାଣ ନାମରେ ଦୀର୍ଘ ଦିନ ଧରି କାର୍ଯ୍ୟ ଚାଲୁଛି, ଗୋଟିଏ ପଟେ ରାସ୍ତା ନିର୍ମାଣ ପାଇଁ ଯେତିକି ଦିନ ଲାଗୁଛି ତାଠାରୁ କମ୍ ଦିନରେ ରାସ୍ତା ଖରାପ ହେବାର ଦେଖିବାକୁ ମିଳୁଛି। ରାସ୍ତା କାମ ତଦାରଖ କରିବା ପାଇଁ ବିଭାଗୀୟ ଅଧିକାରୀ ମାନେ କୋଟି କୋଟି ଟଙ୍କା ଦରମା ନେଉଛନ୍ତି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଉଥବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ପୁରୁଷୋତ୍ତମପୁର ଚାରି ଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ଯେତିକି ବିଳମ୍ବ ହେଉଛି ତାହା ଠାରୁ ଅଧିକ କଷ୍ଟଦାୟିକ ଭାରି ଯାନବାହନ ଦ୍ବାରା ପଥର,ବାଲିକଣିକା ଉଡି ଶ୍ବାସ ରୋଗର କାରକ ସାଜିବା ସହିତ ବାୟୁ ମଣ୍ଡଳ ପ୍ରଦୂଷିତ ହେଉଛି ।
















