Saturday, November 21, 2026
ADVERTISEMENT
Home ଆଞ୍ଚଳିକ କୋମାରେ ଅବକାରୀ ବିଭାଗ : ଚୋରା ମଦ ବେପାରରେ ନାବାଳକ ନିୟୋଜିତ

କୋମାରେ ଅବକାରୀ ବିଭାଗ : ଚୋରା ମଦ ବେପାରରେ ନାବାଳକ ନିୟୋଜିତ

305
ADVERTISEMENT

ବ୍ରହ୍ମପୁର,୧୦/୧୧(ଡି.ଏଚ/ସୁଦାମ ମହାରଣା) : ଚୋରା ଚାଲାଣ କରୁଥିବା ଦୁଇଜଣ ନାବାଳକଙ୍କ ଠାରୁ ୫୦ଲିଟର ମଦ ଅର୍ଥାତ (୫୦୦ ଟି ମଦପୁଡିଆ) ସହ ସେମାନେ ବ୍ୟବହାର କରୁଥିବା ମୋଟର ସାଇକେଲ(OD07G0314) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପୋଲିସ ଜବତ କରିଛି । ଶୁକ୍ରବାର ଦିନ ଦୁଇ ଜଣ ନାବାଳକ ଖଲ୍ଲିକୋଟ ଅଞ୍ଚଳ ଗୁହାରିଆପାଟରୁ ଦେଶୀ ରନ୍ଧା ମଦ ଆଣି ଖୋଜାପଲ୍ଲୀ ପଞ୍ଚାୟତ ବାହାଲପଲ୍ଲୀ ଗ୍ରାମ ନିକଟରେ ବିକ୍ରି କରୁଥିବା ବେଳେ ପୁରୁଷୋତ୍ତମପୁର ପୋଲିସ ସେମାନଙ୍କୁ କାବୁ କରିଥିଲା ।ଦିନ କୁ ଦିନ କୋଦଳା ଓ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରା ମଦ ବିକ୍ରି ଖୁଲମଖୋଲା ଚାଲୁଥିବା ବେଳେ ଅବକାରୀ ବିଭାଗ କିପରି ଜାଣୁପାରୁ ନାହିଁ ତାହା ଏବେ ପ୍ରଶ୍ନବାଚୀ ।ଖଲ୍ଲିକୋଟ ଗୁହାରିଆପାଟରୁ ରନ୍ଧା ମଦ ପ୍ରସ୍ତୁତ କରାଯାଇ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପଠାଯାଉଛି । ପୁରୁଷୋତ୍ତମପୁରରେ ଅବକାରୀ ନିରୀକ୍ଷକ ଓ ଉପ ନିରୀକ୍ଷକଙ୍କ ଦୁଇ ଗୋଟି କାର୍ଯ୍ୟାଳୟ ରହିଥିବା ବେଳେ ଅନେକ ସମୟରେ ତାହା ବନ୍ଦ ରହୁଛି ।
ବିଭାଗୀୟ ଅଧିକାରୀଙ୍କ ବିନା ପ୍ରୋତ୍ସାହନ ଓ ସଲାସୁତୁରା ଏତେ ବଡ କଳା ବ୍ୟବସାୟିକ ସାମ୍ରାଜ୍ୟ ଚଳାଇବା ଆଦୌ ସମ୍ଭବ ପର ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ମଦ ମାଫିଆ ମାନେ ଗ୍ରାମାଞ୍ଚଳର ଅଳ୍ପ ଶିକ୍ଷିତ ବେକାର ନାବାଳକ ମାନଙ୍କୁ ଚୋରା ମଦ ଚାଲାଣରେ ଉଚ୍ଚ ଅର୍ଥର ଲାଳସା ଦେଖାଇ ସେମାନଙ୍କ ଜୀବନ ଓ ଭବିଷ୍ୟତ ସହ ଖେଳଖେଳୁଛନ୍ତି । ବିଶୁଦ୍ଧ ମଦ ଯୋଗାଇବା ସହ ମଦ ମୃତ୍ୟୁକୁ ରୋକିବା ପାଇଁ ଓଡିଶା ସରକାର ଅବକାରୀ ନୀତି ପ୍ରଣୟନ କରିଛନ୍ତି । କିନ୍ତୁ କିଛି ଅବକାରୀକର୍ମଚାରୀଙ୍କ ବେପାରୁଆ ମନବୃତ୍ତି ଓ ଲଗାମ ଛଡ଼ା ଚିନ୍ତା ଧାରା ଯୋଗୁଁ କେଉଁ ସମୟରେ ବିଷାକ୍ତ ମଦ ମୃତ୍ୟୁ ଭଳି ଅଘଟଣ ହୋଇପାରେ ବୋଲି ବୁଦ୍ଧିଜୀବୀ ମାନେ ମତ ବ୍ୟକ୍ତ କରିଛନ୍ତି !

Advertisement