ଦିଗପହଣ୍ଡି ,୭/୧୧(ଡି.ଏଚ/ସୁନିଲ ସାହୁ)-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଏକ ମାତ୍ର ଦିଗପହଣ୍ଡି ଏନଏସିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସର ବରିଷ୍ଠ ନେତା ମଙ୍ଗଳବାର ଦିନ ନବୀନ ନିବାସ ଠାରେ ୫୦୦ କଂଗ୍ରେସ କର୍ମୀଙ୍କ ସହ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ୨୦୦୯ରେ କଂଗ୍ରେସ ଟିକେଟରୁ ଦିଗପହଣ୍ଡିର ବିଧାୟକ ପ୍ରାର୍ଥୀ ହୋଇଥିଲେ ନାରାୟଣ ରାଜୁ । କିନ୍ତୁ ତାଙ୍କୁ ସେଠାରେ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା । ତେବେ ପୂର୍ବରୁ ଦୁଇ ଦୁଇ ଥର ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ରହିଥିଲେ ଭି. ରବି ନାରାୟଣ ।

କଂଗ୍ରେସରେ ତାଙ୍କୁ ଅଣଦେଖା କରାଯିବା ହେତୁ ସେ ଆଜି ନବୀନଙ୍କ ଆଦର୍ଶ ଓ ଭଲ କାମ ପାଇଁ ବିଜେଡ଼ରେ ମିଶିଥିବା କହିଛନ୍ତି। ଯିଏ ବି ଦିଗପହଣ୍ଡିର ବିକାଶ ପାଇଁ କାମ କରିବ ସେ ତାକୁ ସମର୍ଥନ କରିବେ ବୋଲି କହିଛନ୍ତି । ଅନ୍ୟପଟେ ନବୀନ ନିବାସରେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନରେ ବିଜେଡ଼ି ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି। ତାଙ୍କର ଏହି ବିଜେଡ଼ିରେ ମିଶିବା ପଛରେ ଓଡିଶା ବାଚସ୍ପତି ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବଳିଷ୍ଠ ଅବଦାନ ରହିଥିବା ଚର୍ଚ୍ଚା ହେଉଛି। ସେ ପୂର୍ବରୁ ସୂର୍ଯ୍ୟ ବାବୁଙ୍କ ଅତି ଘନିଷ୍ଠ ସହଯୋଗୀ ଭାବେ ଲୋକଙ୍କ ସେବା କରୁଥିଲେ କିନ୍ତୁ କିଛି ମାନମାଳିନ୍ୟ ଯୋଗୁଁ ଦଳ ଛାଡିଥିଲେ। ଆଜି ପୁଣି ତାଙ୍କର ଘର ବାହୁଡା ହୋଇଛି ବୋଲି ବିଜେଡ଼ି ସମର୍ଥକ ମାନେ ମତ ରଖିଛନ୍ତି।

















