ଛତ୍ରପୁର,୬/୧୧(ଡି.ଏଚ/ସୁଦାମ ମହାରଣା):କର୍ମୀଜୀବି ମହିଳାଙ୍କୁ ସୁରକ୍ଷା ପ୍ରଦାନ, ଧର୍ମଶାଳା ବ୍ଲକ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତାରାଣି ହତ୍ୟାକାଣ୍ଡ ଓ କେନ୍ଦ୍ରାପଡା ସମବାୟ ବ୍ୟାଙ୍କର ଯୌନ କେଳେଙ୍କାରିର ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମହିଳା ବିଜେପି ପକ୍ଷରୁ ଗଞ୍ଜାମଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଛତ୍ରପୁର ସ୍ଥିତ ଲୋୟର ବସଷ୍ଟାଣ୍ଡ ଠାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ରାଜ୍ୟ ଉପସଭାପତି ଅନିତା ଶୁଭଦର୍ଶନୀ ଓ ପିଙ୍କି ପ୍ରଧାନ, ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟା ଜୟନ୍ତୀ ପଡିଆଳି,ସୁଷମା ଦାସ ପ୍ରମୁଖ ଉପସ୍ଥିତ ରହି ମହିଳା ମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ବିଜେଡି ସରକାର ସପୂର୍ଣ୍ଣ ରୂପେ ବିଫଳ ହୋଇଛି। ସାରା ରାଜ୍ୟରେ ବର୍ତ୍ତମାନ ମହିଳା ମାନେ ଅସୁରକ୍ଷିତ ଅବସ୍ଥାରେ ରହିଥିବା ବିଜେପି ରାଜ୍ୟ ମହିଳାମୋର୍ଚ୍ଚାର ସଦସ୍ୟା ମାନେ ଅଭିଯୋଗ କରିଥିଲେ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାଶପୁର ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ମିତାରାଣି ବିଶ୍ବାଳ ହତ୍ୟା ଘଟଣାରେ ପୁଲିସ ଭୂମିକା ଉପରେ ଆଙ୍ଗଳୁ ଉଠାଇଛନ୍ତି, ଏହାର ତଦନ୍ତ ଦାୟିତ୍ବ ସିବିଆକୁ ଦେବା ପାଇଁ ଦାବି କରିଛନ୍ତି।
ସେହିପରି କେନ୍ଦ୍ରାପଡା ସମବାୟ ବ୍ୟାଙ୍କ ଯୌନ କେଳେଙ୍କାରି ର ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରି ପୁଲିସ ଚୁପରହିଥିବାକୁ ଦୃଢ ନିନ୍ଦା କରିବା ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ସହ ପୀଡିତାଙ୍କୁ ନ୍ୟାୟ ଦେବାକୁ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛନ୍ତି ।ଏହି ବିକ୍ଷୋଭ ରେ ରାଜ୍ୟ ସାଧାରଣ ସମ୍ପାଦକ ବିଭୂତି ଜେନା, ଜିଲ୍ଲା ସଭାପତି କାହ୍ନୁଚରଣ ପତି,ପୋଲସରା ନିର୍ବାଚନ ମଣ୍ଡଳୀ ନେତା ଗୋକୁଳାନନ୍ଦ ମଲ୍ଲିକ, ଛତ୍ରପୁର ନିର୍ବାଚନ ମଣ୍ଡଳୀ ନେତା ପ୍ରଶାନ୍ତ କର,କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ନେତା ରଞ୍ଜନ କୁମାର ପଲେଇ ଓ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।
















